ନ୍ୟୁଜ ଡେକ୍ସ : ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କ ଦକ୍ଷତା ଚିହ୍ନଟ କରି ସେମାନଙ୍କ ଆର୍ଥିକ ପ୍ରଗତି ପାଇଁ ସରକାର ବିଶେଷ ପଦକ୍ଷେପ ନେଉଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ସୂଚନା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ହିତାଧିକାରୀଙ୍କ ପାଖରେ ଥିବା ଦକ୍ଷତାକୁ ଆଧୁନିକ ପ୍ରଯୁକ୍ତି ସହାୟତାରେ ଚିହ୍ନଟ କରାଯାଇ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଦିଗରେ କାମ କରାଯିବ।
ସେ କହିଛନ୍ତି, ଯେପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଲକ୍ଷପତି ଦିଦି ସୃଷ୍ଟି କରାଯାଇଛନ୍ତି, ସେହିପରି ସୁଭଦ୍ରା ଯୋଜନାର ହିତାଧିକାରୀମାନଙ୍କୁ ମଧ୍ୟ ଉଦ୍ୟୋଗୀ ଭାବେ ଗଢ଼ି ତୋଳିବାକୁ ବିଭିନ୍ନ ବିଭାଗ ସହ ସମନ୍ୱୟ କରାଯାଉଛି। ଏଥିପାଇଁ ବିଭାଗ ପକ୍ଷରୁ ଚୁକ୍ତିନାମା ମଧ୍ୟ କରାଯାଇଛି।ଦକ୍ଷତା ଆଧାରିତ ସୁଯୋଗ ସୃଷ୍ଟି କରି ମହିଳାମାନଙ୍କୁ ରୋଜଗାର ଓ ସ୍ୱାବଲମ୍ବନ ଦିଗରେ ଆଗେଇ ନେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ, ସୁଭଦ୍ରା ଯୋଜନାର ଯେଉଁ ହିତାଧିକାରୀମାନେ ୬୦ ବର୍ଷ ବୟସ ଅତିକ୍ରମ କରିବେ, ସେମାନଙ୍କ ନାମ ସ୍ୱୟଂଚାଳିତ ଭାବେ ଭତ୍ତା ଯୋଜନାର ତାଲିକାରେ ସାମିଲ ହେବ। ଏହା ପାଇଁ ଆବଶ୍ୟକ ପ୍ରକ୍ରିୟା ଚାଲିଥିବା ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।ଏହି ପଦକ୍ଷେପ ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ସହ ସାମାଜିକ ସୁରକ୍ଷାକୁ ମଧ୍ୟ ଅଧିକ ସୁଦୃଢ଼ କରାଯିବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

