Wed. Jun 10th, 2026

ନ୍ୟୁଜ ଡେକ୍ସ : ଭାରତ ପରମାଣୁ କ୍ଷମତାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପାଦ ଆଗେଇଛି ବୋଲି ଷ୍ଟକହୋମ ଆନ୍ତର୍ଜାତୀୟ ଶାନ୍ତି ଗବେଷଣା ସଂସ୍ଥାର ୨୦୨୬ ରିପୋର୍ଟରେ ଉଲ୍ଲେଖ ମିଳିଛି। ରିପୋର୍ଟ ଅନୁଯାୟୀ, ୨୦୨୬ ଆରମ୍ଭ ସୁଦ୍ଧା ଭାରତ ପାଖରେ ପ୍ରାୟ ୧୯୦ଟି ପରମାଣୁ ଯୁଦ୍ଧାସ୍ତ୍ର ରହିଛି, ଯାହା ପାକିସ୍ତାନର ଆନୁମାନିକ ଭଣ୍ଡାରକୁ ଅତିକ୍ରମ କରିଛି।ପ୍ରଥମଥର ପାଇଁ ଭାରତ ଅତି କମରେ ୧୨ଟି ପରମାଣୁ ଅସ୍ତ୍ରକୁ କ୍ଷେପଣାସ୍ତ୍ର, ବୁଡ଼ାଜାହାଜ କିମ୍ବା ଯୁଦ୍ଧବିମାନ ଭଳି ନିକ୍ଷେପଣ ପ୍ରଣାଳୀ ସହିତ ଯୋଡ଼ି ନିୟୋଜିତ ଅବସ୍ଥାରେ ରଖିଥିବା ଦାବି ହୋଇଛି।

ଏହା ଭାରତର ପରମାଣୁ ନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି ବିବେଚନା କରାଯାଉଛି।ରିପୋର୍ଟରେ କୁହାଯାଇଛି ଯେ, ଭାରତ ଏପର୍ଯ୍ୟନ୍ତ “ପ୍ରଥମେ ବ୍ୟବହାର ନୁହେଁ” ନୀତିରେ ଅଟଳ ରହିଛି। କେବଳ ପ୍ରତିରକ୍ଷା ଓ ପ୍ରତିଆକ୍ରମଣ ପାଇଁ ପରମାଣୁ ଶକ୍ତି ବ୍ୟବହାର ହେବ ବୋଲି ଭାରତର ଅବସ୍ଥାନ ରହିଛି। କିନ୍ତୁ ନୂତନ ତଥ୍ୟ ଅନୁଯାୟୀ, କିଛି ଅସ୍ତ୍ରକୁ ସେମାନଙ୍କର ନିକ୍ଷେପଣ ପ୍ରଣାଳୀ ସହିତ ସଂଯୋଗ କରାଯାଇ ସାମରିକ ଘାଟିରେ ପ୍ରସ୍ତୁତ ଅବସ୍ଥାରେ ରଖାଯାଇଛି।

ପୂର୍ବରୁ ଭାରତର ପରମାଣୁ ନୀତିରେ ଅସ୍ତ୍ର ଓ ନିକ୍ଷେପଣ ପ୍ରଣାଳୀକୁ ପୃଥକ ରଖାଯାଉଥିଲା, କିନ୍ତୁ ଏବେ କିଛି ଅଂଶରେ ତାହା ପରିବର୍ତ୍ତିତ ହୋଇଛି ବୋଲି ରିପୋର୍ଟ ସୂଚାଉଛି। ଚୀନ ଓ ପାକିସ୍ତାନର ସମ୍ଭାବ୍ୟ ହୁମକିକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ମତ ମଧ୍ୟ ରହିଛି।ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଭାରତର ଏହି ନୂତନ ପଦକ୍ଷେପ ଏହାର ପରମାଣୁ ପ୍ରସ୍ତୁତିକୁ ନୂଆ ମାନକରେ ପହଞ୍ଚାଇଛି, ଯାହା ଭବିଷ୍ୟତର ସୁରକ୍ଷା ରଣନୀତିରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ଆନ୍ତର୍ଜାତୀୟ ମହଳରେ ଆଲୋଚନା ହେଉଛି।

Leave a Reply

Your email address will not be published. Required fields are marked *