Tue. Jun 16th, 2026

ନ୍ୟୁଜ ଡେକ୍ସ : ରାଜଧାନୀବାସୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଦୀର୍ଘଦିନ ଧରି ଯାତାୟାତ ଜନିତ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ଏବେ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ଏକାମ୍ରକାନନରୁ ଓଇଆରସି ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ନୂଆ ସଡ଼କ ପ୍ରକଳ୍ପର କାମ ସମ୍ପୂର୍ଣ୍ଣ ହୋଇଥିବାବେଳେ ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଲୋକାର୍ପଣ କରିବେ।

ଏହି ସଡ଼କ ଚଳାଚଳ ପାଇଁ ଖୋଲିଦିଆଯିବା ପରେ ସିଆରପି ଛକରୁ ସୂଚନା ପ୍ରଯୁକ୍ତି ନଗର ଅଞ୍ଚଳକୁ ଯାତ୍ରା ସମୟ ବହୁ ପରିମାଣରେ କମିଯିବ। ବର୍ତ୍ତମାନ ଯେଉଁ ରାସ୍ତାରେ ଯାତାୟାତ ପାଇଁ ଅଧିକ ସମୟ ଲାଗୁଥିଲା, ନୂଆ ସଂଯୋଗ ସଡ଼କ ଦ୍ୱାରା ତାହା ମାତ୍ର ୧୫ ମିନିଟ୍‌ ମଧ୍ୟରେ ସମ୍ଭବ ହେବ ବୋଲି ଆଶା କରାଯାଉଛି।ଏକାମ୍ରକାନନ ପାର୍କ ସମ୍ମୁଖରୁ ହାତୀଆଶୁଣୀ ପର୍ଯ୍ୟନ୍ତ ଦୁଇ ପାର୍ଶ୍ୱର ମୁଖ୍ୟ ସଡ଼କରେ ପିଚୁକାମ ସମ୍ପୂର୍ଣ୍ଣ ହୋଇଛି। ଏହା ସହ ସହାୟକ ସଡ଼କ, ନାଳ ନିର୍ମାଣ ଏବଂ ମଧ୍ୟବର୍ତ୍ତୀ ବିଭାଜକ ନିର୍ମାଣ କାମ ମଧ୍ୟ ଶେଷ ହୋଇଛି। ଫଳରେ ଏହି ଅଞ୍ଚଳରେ ଯାତାୟାତ ଅଧିକ ସୁବିଧାଜନକ ଓ ସୁରକ୍ଷିତ ହେବ। ଲୋକାର୍ପଣ ପରେ ଗାଡ଼ି ଚାଳକମାନେ ସିଆରପି ଛକରୁ ବାହାରି ଏକାମ୍ରକାନନ, ହାତୀଆଶୁଣୀ ଦେଇ ଜାଭିୟର ଛକ, ନାଲକୋ ଛକ, ଶୈଳଶ୍ରୀ ବିହାର, ନୀଳାଦ୍ରି ବିହାର ହୋଇ ସୂଚନା ପ୍ରଯୁକ୍ତି ନଗର ସାଇ ମନ୍ଦିର ନିକଟ ଅଞ୍ଚଳକୁ ସହଜରେ ପହଞ୍ଚିପାରିବେ।

ସେହିପରି ବିପରୀତ ଦିଗରୁ ଆସୁଥିବା ଯାତ୍ରୀମାନେ ମଧ୍ୟ ଏକାମ୍ରକାନନ ଛକ ଦେଇ ସିଆରପି, ଜୟଦେବ ବିହାର ଓ ନୂଆପଲ୍ଲୀ ଅଞ୍ଚଳକୁ ଶୀଘ୍ର ଯାଇପାରିବେ।ନୂଆ ସଡ଼କ ସଂଯୋଗ କାର୍ଯ୍ୟକ୍ଷମ ହେବା ପରେ ରାଜଧାନୀର ବ୍ୟସ୍ତତମ ଅଞ୍ଚଳଗୁଡ଼ିକରେ ଯାନଜଟ ହ୍ରାସ ପାଇବା ସହ ଦୈନନ୍ଦିନ ଯାତାୟାତ ଅଧିକ ସହଜ ହେବ ବୋଲି ଆଶା କରାଯାଉଛି। ଏହି ପ୍ରକଳ୍ପ ରାଜଧାନୀର ଯାତାୟାତ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ସହରର ଦ୍ରୁତ ବିକାଶରେ ମଧ୍ୟ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *