ନ୍ୟୁଜ ଡେକ୍ସ : ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ଶ୍ରୀମନ୍ଦିରର ଐତିହ୍ୟବାହୀ ପରମ୍ପରାକୁ ସୁରକ୍ଷିତ ରଖିବା ଦିଗରେ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାର, ପତିତପାବନ ଭଳି ଶ୍ରୀମନ୍ଦିର ସହ ଜଡ଼ିତ ପବିତ୍ର ଶବ୍ଦାବଳୀ ସହ ପ୍ରଶାସନର ପ୍ରତୀକ ଚିହ୍ନକୁ ଆଇନଗତ ସ୍ୱୀକୃତି ମିଳିଛି। ଏହା ଫଳରେ ଶ୍ରୀମନ୍ଦିର ଏବଂ ମହାପ୍ରଭୁଙ୍କ ସହ ସଂପୃକ୍ତ ଅନେକ ମୌଳିକ ଶବ୍ଦର ଅବାଧ ବ୍ୟବହାର ଉପରେ ନିୟନ୍ତ୍ରଣ ଆସିବ।
ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଆନନ୍ଦ ବଜାର ଏବଂ ପତିତପାବନ ନାମକ ଦୁଇଟି ପବିତ୍ର ଶବ୍ଦାବଳୀକୁ ଆଇନଗତ ସୁରକ୍ଷା ମିଳିଛି। ଏହା ସହିତ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ପ୍ରତୀକ ଚିହ୍ନ ମଧ୍ୟ ସୁରକ୍ଷିତ ହୋଇଛି। ଆହୁରି ୨୬ଟି ଶବ୍ଦ ଓ ନାମ ପାଇଁ ଆବେଦନ ପ୍ରକ୍ରିୟା ଚାଲିଥିବା ବେଳେ ଆଗାମୀ ଦିନରେ ଏ ସମ୍ପର୍କରେ ଅଧିକ ସୂଚନା ଦିଆଯିବ ବୋଲି କୁହାଯାଇଛି।ଏହି ସ୍ୱୀକୃତି ପରେ ଶ୍ରୀମନ୍ଦିର ସହ ସମ୍ପୃକ୍ତ ଶବ୍ଦଗୁଡ଼ିକର ଅନଧିକୃତ ବ୍ୟବହାର, ବିକ୍ରୟ, ଉତ୍ପାଦନ, ଆମଦାନୀ କିମ୍ବା ବ୍ୟବସାୟିକ ପ୍ରଚାର ଉପରେ ରୋକ ଲାଗିବ। ଏହା ଦ୍ୱାରା ମହାପ୍ରଭୁଙ୍କ ସହ ଜଡ଼ିତ ପବିତ୍ର ପରମ୍ପରାର ବ୍ୟବସାୟିକରଣକୁ ନିୟନ୍ତ୍ରଣ କରାଯିବା ସହ ଏହାର ଗରିମା ଓ ସ୍ୱତନ୍ତ୍ରତାକୁ ସୁରକ୍ଷା ମିଳିବ। ଶ୍ରୀମନ୍ଦିର ପ୍ରଶାସନ ପୂର୍ବରୁ ଏକ ସ୍ୱତନ୍ତ୍ର କମିଟି ଗଠନ କରି ଶ୍ରୀଜଗନ୍ନାଥ ସଂସ୍କୃତି ସହ ସଂପୃକ୍ତ ବିଶେଷ ଶବ୍ଦାବଳୀର ତାଲିକା ପ୍ରସ୍ତୁତ କରିଥିଲା। ପରେ ସେହି ତାଲିକାକୁ ଆଧାର କରି ଜୁନ୍ ୧ ତାରିଖରେ ଭାରତୀୟ ପଞ୍ଜୀକରଣ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା।
ଅନୁମୋଦନ ମିଳିବା ପରେ ଏହି ଶବ୍ଦଗୁଡ଼ିକ ଉପରେ ଶ୍ରୀମନ୍ଦିର ପ୍ରଶାସନର ବିଶେଷ ଅଧିକାର ସ୍ଥାପିତ ହୋଇଛି।ଏହା ଅନୁଯାୟୀ ଆନନ୍ଦ ବଜାର, ମହାପ୍ରସାଦ, ନନ୍ଦିଘୋଷ, ନୀଳଚକ୍ର, ନୀଳକନ୍ଦର, ନିର୍ମାଲ୍ୟ, ଶ୍ରୀଜଗନ୍ନାଥ ଧାମ ଭଳି ଶ୍ରୀକ୍ଷେତ୍ର ସହ ଜଡ଼ିତ ପବିତ୍ର ଶବ୍ଦାବଳୀକୁ ଅନ୍ୟ କୌଣସି ସ୍ଥାନରେ ବ୍ୟବସାୟିକ କିମ୍ବା ପ୍ରଚାରମୂଳକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ନାହିଁ। କେବଳ ଶ୍ରୀଜଗନ୍ନାଥଙ୍କ ସେବା, ଉପାସନା ଓ ପାରମ୍ପରିକ ବ୍ୟବହାର କ୍ଷେତ୍ରରେ ଏହି ଶବ୍ଦଗୁଡ଼ିକର ପ୍ରୟୋଗ ହୋଇପାରିବ।ସେହିପରି ‘ଶ୍ରୀଜଗନ୍ନାଥ ଧାମ’ ନାମକୁ ମଧ୍ୟ ଆଇନଗତ ସୁରକ୍ଷା ଦେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି। ଏହା ସହ ଶ୍ରୀମନ୍ଦିରର ଅନ୍ୟାନ୍ୟ ଶବ୍ଦଚିହ୍ନ ଓ ପ୍ରତୀକ ଚିହ୍ନ ପାଇଁ ମଧ୍ୟ ଅନୁମୋଦନ ଅପେକ୍ଷା କରାଯାଉଛି। ଶ୍ରୀମନ୍ଦିର ପ୍ରଶାସନର ଏହି ପଦକ୍ଷେପକୁ ଶ୍ରୀଜଗନ୍ନାଥ ସଂସ୍କୃତିର ସ୍ୱତନ୍ତ୍ର ପରିଚୟ, ପବିତ୍ରତା ଓ ଐତିହ୍ୟକୁ ଭବିଷ୍ୟତ ପାଇଁ ସୁରକ୍ଷିତ ରଖିବା ଦିଗରେ ଏକ ଐତିହାସିକ ପ୍ରୟାସ ବୋଲି ମନେ କରାଯାଉଛି।

