Mon. Jun 15th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ପ୍ରଚାର ସହ ମହିଳା ଉଦ୍ୟୋଗୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ମିଶନ ଶକ୍ତି ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ପିଠା ଅନ୍ ହ୍ୱିଲ୍ କାର୍ଯ୍ୟକ୍ରମ।ରଜ ପର୍ବ ଅବସରରେ ସୁଭଦ୍ରା ଶକ୍ତି ବଜାର ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ୬ଟି ସ୍ୱତନ୍ତ୍ର ଗାଡ଼ିର ଶୁଭାରମ୍ଭ କରିଛନ୍ତି।ଏହି ସ୍ୱତନ୍ତ୍ର ଗାଡ଼ିଗୁଡ଼ିକ ରଜ ଉତ୍ସବ ସମୟରେ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ସ୍ଥାନରେ ଘୁରିବୁଲି ଲୋକମାନଙ୍କୁ ଓଡ଼ିଶାର ପାରମ୍ପରିକ ପିଠା ଓ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ଯୋଗାଇବ।

ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ଗାଡ଼ି ମାଧ୍ୟମରେ ଆରିସା, କାକରା, ମଣ୍ଡା, ଚକୁଳି, ପୋଡ଼ ପିଠା ଭଳି ପାରମ୍ପରିକ ପିଠା ସହ ଦହିବରା, ବରା, ଆଳୁଚପ ଭଳି ଜଳଖିଆ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୟ କରିବେ।ଓଡ଼ିଶାର ପୁରୁଣା ଖାଦ୍ୟ ପରମ୍ପରାକୁ ନୂଆ ପିଢ଼ି ମଧ୍ୟରେ ପହଞ୍ଚାଇବା ସହ ମହିଳାମାନଙ୍କ ଆୟ ବୃଦ୍ଧି ଏବଂ ଉଦ୍ୟୋଗ ବିକାଶ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରଜ ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜୁନ୍ ୧୧ରୁ ୧୬ ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରସ୍ତୁତ କରିଥିବା ହସ୍ତତନ୍ତ, ହସ୍ତକଳା, ମିଲେଟ୍ ଓ ଜୈବିକ ଉତ୍ପାଦର ବିକ୍ରୟ ବ୍ୟବସ୍ଥା ରହିଛି।

ଏହା ସହ ରଜ ଉତ୍ସବର ମଜାକୁ ବଢ଼ାଇବା ପାଇଁ ମେହେନ୍ଦି, କେଶ ସଜ୍ଜା, ନଖ କଳା, ଦୋଳି, ରଜ ପାନ ଓ ଲାଖ ଚୁଡ଼ି ଭଳି ବିଭିନ୍ନ ଆକର୍ଷଣୀୟ ବ୍ୟବସ୍ଥା କରାଯାଇଛି।ସହରବାସୀ ଗୋଟିଏ ସ୍ଥାନରେ ରଜର ପାରମ୍ପରିକ ପରିବେଶର ଅନୁଭୂତି ନେବା ସହ ମହିଳାମାନଙ୍କ ତିଆରି ସାମଗ୍ରୀ କିଣି ସେମାନଙ୍କୁ ସ୍ୱାବଲମ୍ବୀ ହେବାରେ ସହଯୋଗ କରିପାରିବେ। ଏହି ପଦକ୍ଷେପ ଓଡ଼ିଶାର ସଂସ୍କୃତି ଓ ମହିଳା ସଶକ୍ତିକରଣକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *