ନ୍ୟୁଜ ଡେକ୍ସ : ଦେଶର ବିଭିନ୍ନ ଅଞ୍ଚଳରେ ପାଗରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଓଡ଼ିଶା, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳ, ଉତ୍ତର ପ୍ରଦେଶ ଏବଂ ବିହାର ସମେତ ୧୭ଟି ରାଜ୍ୟ ପାଇଁ ପ୍ରବଳ ଝଡ଼ତୋଫାନ ଓ ବର୍ଷା ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଅନେକ ସ୍ଥାନରେ ଘଣ୍ଟାପ୍ରତି ୬୦ରୁ ୮୦ କିଲୋମିଟର ବେଗରେ ପବନ ବହିବାର ଆଶଙ୍କା ରହିଛି। ଏହା ଫଳରେ ତାପମାତ୍ରା ହ୍ରାସ ପାଇବା ସହ ପ୍ରଚଣ୍ଡ ଗରମରୁ ଲୋକମାନେ ଆଶ୍ୱସ୍ତି ପାଇପାରିବେ।ପାଣିପାଗ ବିଭାଗ ଆଗାମୀ ଦୁଇରୁ ତିନି ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ବିଶେଷ ସତର୍କ ସୂଚନା ଜାରି କରିଛି।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ବିହାରର କିଛି ଅଞ୍ଚଳକୁ ପ୍ରବେଶ କରିସାରିଛି। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଏହା ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଛତିଶଗଡ଼ର ଅଧିକାଂଶ ଅଞ୍ଚଳକୁ ପହଞ୍ଚିବା ପାଇଁ ପରିସ୍ଥିତି ଅନୁକୂଳ ରହିଛି। ଆଜି ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶରେ ପ୍ରବଳ ଝଡ଼ବର୍ଷା, ବଜ୍ରପାତ ଏବଂ ଶିଳାବୃଷ୍ଟି ହେବାର ସମ୍ଭାବନା ଥିବାବେଳେ ପବନର ବେଗ ମଧ୍ୟ ଅଧିକ ରହିପାରେ। ସେହିପରି ଉତ୍ତରାଖଣ୍ଡ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ଓ ମେଘାଳୟ ସମେତ ଅନେକ ରାଜ୍ୟ ପାଇଁ ପ୍ରବଳରୁ ଅତି ପ୍ରବଳ ବର୍ଷା ସତର୍କତା ଜାରି କରାଯାଇଛି।ଉତ୍ତର ପ୍ରଦେଶରେ ଗତ ୧୦ ଦିନ ଧରି ପାଗରେ ଲଗାତାର ପରିବର୍ତ୍ତନ ଘଟୁଛି। ବୁଧବାର ଓ ଗୁରୁବାର ୫୨ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ଘଟଣାରେ ଅନେକ ଲୋକଙ୍କ ଜୀବନହାନି ଘଟିଥିବାବେଳେ ଶୁକ୍ରବାର ମଧ୍ୟ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି।
ମୋରାଦାବାଦରେ ଏକ ମାଟିଘରର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବାବେଳେ ମେରଠରେ ଜଣେ ୧୭ ବର୍ଷୀୟ ଛାତ୍ର ବଜ୍ରପାତରେ ପ୍ରାଣ ହରାଇଛନ୍ତି।ବରିଷ୍ଠ ପାଣିପାଗ ବିଶେଷଜ୍ଞ ଅତୁଲ କୁମାର ସିଂହଙ୍କ ମତାନୁସାରେ, ପାକିସ୍ତାନ ଅଞ୍ଚଳରେ ସକ୍ରିୟ ପଶ୍ଚିମା ବାୟୁ ପ୍ରବାହ ଏବଂ ପୂର୍ବ ଉତ୍ତର ପ୍ରଦେଶ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଯୋଗୁଁ ଦେଶର ବିଭିନ୍ନ ଅଞ୍ଚଳରେ ପାଗରେ ଏହି ପରିବର୍ତ୍ତନ ଦେଖାଦେଇଛି। ତେଣୁ ଲୋକମାନଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରାମର୍ଶ ମାନିବାକୁ କୁହାଯାଇଛି।

