Mon. Jun 15th, 2026

ନ୍ୟୁଜ ଡେକ୍ସ : କେନ୍ଦୁଝର ଜିଲ୍ଲାରେ ଚାଲିଥିବା ‘ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬’ ଅଭିଯାନ ଅନ୍ତର୍ଗତ ଆଜି ଏକ ଉଲ୍ଲେଖନୀୟ ପଦକ୍ଷେପ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଏହି ଅଭିଯାନରେ ସାମିଲ ହୋଇ ରାଇକଳା ଗ୍ରାମସ୍ଥିତ ନିଜ ବାସଭବନରେ ଭୋଟର ତାଲିକା ସଂଶୋଧନ ପାଇଁ ଉଦ୍ଦିଷ୍ଟ ପରିଗଣନା ପତ୍ର ପୂରଣ କରିଛନ୍ତି।

କେନ୍ଦୁଝର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଳ ସିଂହଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଏହି ସମଗ୍ର ପ୍ରକ୍ରିୟା ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା। ଭୋଟର ତାଲିକାକୁ ତ୍ରୁଟିଶୂନ୍ୟ, ସ୍ୱଚ୍ଛ ଏବଂ ଅଧିକ ବିଶ୍ୱସନୀୟ କରିବା ଲକ୍ଷ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଯୋଗ୍ୟ ମତଦାତାଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଅନୁରୋଧ କରାଯାଇଛି।ସେହିପରି ସଂଶୋଧନ କାର୍ଯ୍ୟ ସମୟରେ ଘରକୁ ଘର ବୁଲି ସୂଚନା ସଂଗ୍ରହ କରୁଥିବା ମତଦାତା ତାଲିକା କର୍ମୀମାନଙ୍କୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି।

ଭୋଟର ତାଲିକା ସଂଶୋଧନ ଭଳି ଗୁରୁତ୍ୱପୂର୍ଣ୍ଣ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ସକ୍ରିୟ ଭାଗିଦାରୀ ସାଧାରଣ ଲୋକଙ୍କ ମଧ୍ୟରେ ଏକ ସକାରାତ୍ମକ ବାର୍ତ୍ତା ପହଞ୍ଚାଇଛି। ଏହାଦ୍ୱାରା ନାଗରିକମାନେ ନିଜର ଭୋଟର ବିବରଣୀକୁ ସଠିକ୍ ଓ ସଦ୍ୟତମ ରଖିବା ପ୍ରତି ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *