ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆସନ୍ତା ମୟୂରଭଞ୍ଜ ଗସ୍ତକୁ ନେଇ ରାଜ୍ୟ ସରକାର ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଗସ୍ତ ସହ ଜଡ଼ିତ ପ୍ରତ୍ୟେକ କାର୍ଯ୍ୟକ୍ରମର ସୁପରିଚାଳନା, ସୁରକ୍ଷା ଓ ସମନ୍ୱୟ ନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଦେଇଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ।
ଗସ୍ତର କାର୍ଯ୍ୟସୂଚୀ, ସୁରକ୍ଷା ବ୍ୟବସ୍ଥା, ଜନସମାଗମ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମସ୍ତ ବିଭାଗ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଦାୟିତ୍ୱ ନିର୍ବାହ କରିବାକୁ ମୁଖ୍ୟମନ୍ତ୍ରୀ ବିଶେଷ ଭାବେ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତା ୧୯ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ୨୦ ତାରିଖରେ ନିଜ ଜନ୍ମଦିନ ଅବସରରେ ସେ ତାଙ୍କର ଜନ୍ମଭୂମି ଏବଂ ପ୍ରଥମ କର୍ମଭୂମି ରାଇରଙ୍ଗପୁରରେ ଉପସ୍ଥିତ ରହିବେ। ରାଷ୍ଟ୍ରପତିଙ୍କ ଏହି ଐତିହାସିକ ଗସ୍ତକୁ ସ୍ମରଣୀୟ କରିବା ପାଇଁ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଜନ୍ମମାଟିରେ ଦେଶର ପ୍ରଥମ ନାଗରିକଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ଅଞ୍ଚଳରେ ଉତ୍ସାହର ପରିବେଶ ଦେଖିବାକୁ ମିଳୁଛି।ସେହିପରି ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଇରଙ୍ଗପୁରରେ ପହଞ୍ଚି ରାଷ୍ଟ୍ରପତିଙ୍କ ସହ ରାଜ୍ୟସ୍ତରୀୟ ମହାଉତ୍ସବରେ ସାମିଲ ହେବେ।
ଏହା ସହିତ ସେଠାରେ ଆୟୋଜିତ ହେବାକୁ ଥିବା ବିଶାଳ ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ। ଏହି ଅବସରରେ ରାଜ୍ୟ ଓ ଜିଲ୍ଲାର ବିକାଶ ସହ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଗସ୍ତ କେବଳ ଏକ ଉତ୍ସବ କିମ୍ବା ଔପଚାରିକ କାର୍ଯ୍ୟକ୍ରମ ନୁହେଁ, ବରଂ ଓଡ଼ିଶାର ବିକାଶ ଇତିହାସରେ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିବ। ଏହି ମଞ୍ଚରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଓଡ଼ିଶା ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ହଜାର ହଜାର କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।
ଦୀର୍ଘ ଦିନ ଧରି ଅପେକ୍ଷିତ ରେଳ ପ୍ରକଳ୍ପ ଏବଂ କୋଇଲା ଭିତ୍ତିକ ଗ୍ୟାସ ଉତ୍ପାଦନ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ ଏହି ଅବସରରେ ହେବ।ଏହାଛଡ଼ା ୧୯ ତାରିଖରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ କରାଯିବ। ଏହି ସମସ୍ତ କାର୍ଯ୍ୟକ୍ରମ ସଫଳ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତିକୁ ଚୂଡ଼ାନ୍ତ ରୂପ ଦିଆଯାଉଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ମୟୂରଭଞ୍ଜ ସହ ସମଗ୍ର ଓଡ଼ିଶାର ବିକାଶ ଯାତ୍ରାକୁ ଏକ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି।

