Thu. Jun 18th, 2026

ନ୍ୟୁଜ ଡେକ୍ସ : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ପାଠ୍ୟପୁସ୍ତକରେ ଦେଖାଦେଇଥିବା ବିଭିନ୍ନ ତ୍ରୁଟିକୁ ନେଇ ସରକାର ଗୁରୁତ୍ୱର ସହ ବିଚାର କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ କରି ସମ୍ପୃକ୍ତ ବିଭାଗକୁ ତୁରନ୍ତ ତ୍ରୁଟି ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷା ବ୍ୟବସ୍ଥାର ଗୁଣାତ୍ମକ ମାନ ବଜାୟ ରଖିବା ସହ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ମାମଲାରେ କୌଣସି ପ୍ରକାର ଅବହେଳା ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଆଭାସୀ ମାଧ୍ୟମରେ ଆୟୋଜିତ ଏହି ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ବୈଠକରେ ପାଠ୍ୟପୁସ୍ତକରେ ତ୍ରୁଟି ହେବାର କାରଣ, ଏହାର ପ୍ରଭାବ ଓ ସଂଶୋଧନ ପ୍ରକ୍ରିୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।ମୁଖ୍ୟମନ୍ତ୍ରୀ ଏହି ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ ତଦନ୍ତ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କମିଟି ତ୍ରୁଟି ପାଇଁ କେଉଁ ଅଧିକାରୀ, କର୍ମଚାରୀ କିମ୍ବା ସଂସ୍ଥା ଦାୟୀ ତାହା ଚିହ୍ନଟ କରିବ। ସେଥିସହିତ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ପ୍ରକାଶନ ପ୍ରକ୍ରିୟାରେ କେଉଁଠି ଅବହେଳା ହୋଇଛି ତାହାର ମଧ୍ୟ ଅନୁଧ୍ୟାନ କରାଯିବ।କମିଟିକୁ ସାତ ଦିନ ମଧ୍ୟରେ ତାହାର ତଦନ୍ତ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ଦାୟୀ ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କଠୋର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ଭବିଷ୍ୟତରେ ଏପରି ତ୍ରୁଟି ଯେପରି ନ ଘଟେ, ସେଥିପାଇଁ ପାଠ୍ୟପୁସ୍ତକ ପ୍ରସ୍ତୁତି ଓ ଯାଞ୍ଚ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।ଶିକ୍ଷା କ୍ଷେତ୍ରରେ ସଠିକ୍ ଓ ନିର୍ଭୁଲ ତଥ୍ୟ ପ୍ରଦାନ ସରକାରଙ୍କ ପ୍ରାଥମିକତା ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ପାଠପଢ଼ା ସହ ଜଡିତ ଯେକୌଣସି ତ୍ରୁଟିକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯିବ ଏବଂ ଦୋଷୀମାନଙ୍କୁ କୌଣସି ପ୍ରକାର ଛାଡ଼ ଦିଆଯିବ ନାହିଁ। ଏହି ଘଟଣାକୁ ନେଇ ସରକାରଙ୍କ ତତ୍ପରତା ଶିକ୍ଷା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ଦାୟିତ୍ୱବୋଧ ବଜାୟ ରଖିବା ପ୍ରତି ସରକାରଙ୍କ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି।

Leave a Reply

Your email address will not be published. Required fields are marked *