Thu. Jun 18th, 2026

ନ୍ୟୁଜ ଡେକ୍ସ : ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ ରିପୋର୍ଟ ସମ୍ପର୍କିତ ନଥି ହଜିଯାଇଥିବା ଅଭିଯୋଗକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣାରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ଜେରା କରାଯାଇପାରେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।ଗୃହ ବିଭାଗ ପକ୍ଷରୁ ଏହି ଘଟଣା ନେଇ ରାଜଧାନୀ ଥାନାରେ ଅଭିଯୋଗ ଦାଖଲ ହୋଇଛି।

ଅଭିଯୋଗ ଅନୁଯାୟୀ, ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ ଏହା ପରବର୍ତ୍ତୀ ଦଙ୍ଗା ସମ୍ପର୍କିତ ନ୍ୟାୟମୂର୍ତ୍ତି ଏସ୍‌. ନାଇଡୁଙ୍କ ତଦନ୍ତ ରିପୋର୍ଟ ଓ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ନିଖୋଜ ହୋଇଯାଇଛି।ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୁରେଶ ପୂଜାରୀ କହିଛନ୍ତି ଯେ, ନଥିଗୁଡ଼ିକ ୨୦୨୪ ଜୁନ୍ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଯାଇଥିବାର ପ୍ରମାଣ ମିଳିଛି। ଗୃହ ବିଭାଗରୁ ନଥି ସଂଖ୍ୟା ସହ ଏହା ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିଲା। ସେଠାରୁ ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିବା ଏବଂ ଜଣେ ଅନୁସଚିବ ଏହାକୁ ଗ୍ରହଣ କରିଥିବାର ରେକର୍ଡ ରହିଛି।

ମନ୍ତ୍ରୀଙ୍କ ମତରେ, ନଥି କାର୍ଯ୍ୟାଳୟକୁ ପହଞ୍ଚିଥିବାର ପ୍ରମାଣ ଥିବା ବେଳେ ତାହା ଫେରିଥିବାର କୌଣସି ପ୍ରମାଣ ନାହିଁ। ତେଣୁ ଏହା ନିଖୋଜ ନୁହେଁ, ବରଂ ଚୋରି ହୋଇଥିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଘଟଣା ୨୦୨୪ ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ଦିନ ଘଟିଥିବା ଦାବି ମଧ୍ୟ ସେ କରିଛନ୍ତି।ସୁରେଶ ପୂଜାରୀ କହିଛନ୍ତି ଯେ, ନଥି ନେଇଥିବା ଓ ଗ୍ରହଣ କରିଥିବା ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଜେରା କରାଯିବ। ତଦନ୍ତର ଅଂଶ ଭାବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପଚରାଉଚରା କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।ଘଟଣାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଥିବା ବେଳେ ପୁଲିସ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି। ତଦନ୍ତ ପରେ ଘଟଣାର ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *