Sun. Jun 21st, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଉଚ୍ଚଶିକ୍ଷାକୁ ଅଧିକ ସୁଲଭ କରିବା ଲକ୍ଷ୍ୟରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷାବର୍ଷ ୨୦୨୬-୨୭ ପାଇଁ ସ୍ନାତକ ପାଠ୍ୟକ୍ରମରେ ଆସନ ସଂଖ୍ୟା ବୃଦ୍ଧି କରାଯାଇଛି। ବିଭିନ୍ନ ବିଷୟରେ ଛାତ୍ରଛାତ୍ରୀଙ୍କ ବଢ଼ୁଥିବା ଚାହିଦାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।ଗତ କିଛି ଶିକ୍ଷାବର୍ଷର ନାମଲେଖା ତଥ୍ୟର ସମୀକ୍ଷା ପରେ କେତେକ ନିର୍ଦ୍ଦିଷ୍ଟ ବିଷୟରେ ଆସନ ସଂଖ୍ୟା ବଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି।

ଏହା ଫଳରେ ଅଧିକ ସଂଖ୍ୟକ ଯୋଗ୍ୟ ଛାତ୍ରଛାତ୍ରୀ ନିଜ ପସନ୍ଦର ବିଷୟରେ ଉଚ୍ଚଶିକ୍ଷା ଗ୍ରହଣ କରିବାର ସୁଯୋଗ ପାଇବେ।ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ, ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୧ ହଜାର ୨୧୬ଟି, ସରକାରୀ ମହାବିଦ୍ୟାଳୟଗୁଡ଼ିକରେ ୪ ହଜାର ୬୮୪ଟି, ଅନୁଦାନପ୍ରାପ୍ତ ୪୮୮ ବର୍ଗର ମହାବିଦ୍ୟାଳୟଗୁଡ଼ିକରେ ୩ ହଜାର ୪୧୬ଟି ଏବଂ ଅନୁଦାନପ୍ରାପ୍ତ ୬୬୨ ବର୍ଗର ମହାବିଦ୍ୟାଳୟଗୁଡ଼ିକରେ ୧ ହଜାର ୫୬ଟି ଆସନ ବୃଦ୍ଧି କରାଯାଇଛି।

ଏହା ସହିତ ମୋଟ ୧୦ ହଜାର ୩୭୨ଟି ଆସନ ବୃଦ୍ଧି ପାଇଥିବା ଜଣାପଡ଼ିଛି। ବୃଦ୍ଧି ପାଇଥିବା ଏହି ଆସନ ସଂଖ୍ୟାକୁ ଚଳିତ ଶିକ୍ଷାବର୍ଷର ନାମଲେଖା ପୋର୍ଟାଲରେ ମଧ୍ୟ ଉପଲବ୍ଧ କରାଯାଇଛି।ଉଚ୍ଚଶିକ୍ଷା ବିଭାଗର ଏହି ପଦକ୍ଷେପ ରାଜ୍ୟର ହଜାର ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ନୂଆ ଦ୍ୱାର ଖୋଲିଦେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *