ନ୍ୟୁଜ ଡେକ୍ସ : ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଥିବାବେଳେ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବ୍ୟାପକ ଭାବେ ଯୋଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜଧାନୀ ଭୁବନେଶ୍ୱରର କଳିଙ୍ଗ କ୍ରୀଡ଼ା ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଯୋଗାଭ୍ୟାସକୁ ଦୈନନ୍ଦିନ ଜୀବନର ଅଭିନ୍ନ ଅଂଶ କରିବାକୁ ଆହ୍ୱାନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୁସ୍ଥ, ସୁନ୍ଦର ଓ ଚାପମୁକ୍ତ ଜୀବନ ପାଇଁ ଯୋଗର କୌଣସି ବିକଳ୍ପ ନାହିଁ। ଆଜିର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ, ଅନିୟମିତ ଜୀବନଶୈଳୀ ଏବଂ ବିଭିନ୍ନ ଶାରୀରିକ ସମସ୍ୟା ଦ୍ରୁତ ଭାବେ ବଢ଼ୁଥିବା ବେଳେ ଯୋଗ ଓ ପ୍ରାଣାୟାମ ଏହାର ଏକ ପ୍ରଭାବଶାଳୀ ସମାଧାନ ହୋଇପାରେ। ସେ କହିଥିଲେ, ଔଷଧ ସେବନ ପୂର୍ବରୁ ଯୋଗକୁ ଆପଣାଇବା ଉଚିତ। ବିଶେଷ କରି ବୟସ୍କମାନଙ୍କ ପାଇଁ ଯୋଗ ହେଉଛି ବାର୍ଦ୍ଧକ୍ୟର ସର୍ବଶ୍ରେଷ୍ଠ ଔଷଧ।ସେ ଉଲ୍ଲେଖ କରିଥିଲେ ଯେ, ବୟସ ବଢ଼ିବା ସହ ରକ୍ତଚାପ, ମାନସିକ ଚାପ, ହୃଦ୍ରୋଗ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ବଢ଼ିଥାଏ। ତେଣୁ ନିୟମିତ ଯୋଗାଭ୍ୟାସ ଓ ପ୍ରାଣାୟାମ ମାଧ୍ୟମରେ ଏଭଳି ସମସ୍ୟାକୁ ଦୂରେଇ ରଖାଯାଇପାରିବ। ଯୋଗ କେବଳ ଶରୀରକୁ ସୁସ୍ଥ ରଖେ ନାହିଁ, ଏହା ମନକୁ ଶାନ୍ତ ଓ ସନ୍ତୁଳିତ ରଖିବାରେ ମଧ୍ୟ ସହାୟକ ହୋଇଥାଏ।ଯୁବପିଢ଼ିଙ୍କୁ ଉଦ୍ଦେଶ୍ୟ କରି ମୁଖ୍ୟମନ୍ତ୍ରୀ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ସେ କହିଥିଲେ, ମୋବାଇଲ୍ ଛାଡ଼, ଯୋଗ ଆସନ ଧର। ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ବ୍ୟୟ ନକରି ପ୍ରତିଦିନ ଅତି କମରେ ୨୦ରୁ ୩୦ ମିନିଟ୍ ଯୋଗାଭ୍ୟାସ କରିବାକୁ ସେ ଯୁବକ ଓ ଯୁବତୀମାନଙ୍କୁ ପରାମର୍ଶ ଦେଇଥିଲେ।
ନିୟମିତ ଯୋଗ ଅଭ୍ୟାସ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଅନେକ ରୋଗରୁ ସୁରକ୍ଷା ଦେଇଥାଏ ବୋଲି ସେ କହିଥିଲେ।ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଆଜି ଯୋଗ ଭାରତର ସୀମା ଟପି ବିଶ୍ୱର ଅଧିକାଂଶ ଦେଶରେ ପହଞ୍ଚିସାରିଛି। ଯୋଗ ମାଧ୍ୟମରେ ଭାରତୀୟ ସଂସ୍କୃତି ଓ ଜୀବନଦର୍ଶନ ବିଶ୍ୱମଞ୍ଚରେ ଏକ ସ୍ୱତନ୍ତ୍ର ପରିଚୟ ପାଇଛି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ବ୍ୟାପକ ଭାବେ ଯୋଗ ଦିବସ ପାଳନ କରାଯାଇଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ।ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶରେ ଯୋଗର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହି ମୁଖ୍ୟମନ୍ତ୍ରୀ ରାଜ୍ୟରେ ଯୋଗର ପ୍ରସାର ପାଇଁ ସରକାରଙ୍କ ନୂଆ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ଯୋଗ ସମ୍ପର୍କିତ ବିଷୟବସ୍ତୁ ସାମିଲ କରିବାକୁ ସରକାର ବିଚାର କରୁଛନ୍ତି।
ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଛୋଟବେଳୁ ଯୋଗ ପ୍ରତି ଆକୃଷ୍ଟ ହେବେ ଏବଂ ସୁସ୍ଥ ଜୀବନଶୈଳୀ ଗଠନ କରିପାରିବେ।ଏହାସହ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ନିକଟ ବିଞ୍ଝାଗିରି ଅଞ୍ଚଳରେ ପ୍ରାୟ ୨୦ ଏକର ଜମି ଉପରେ ଏକ ସ୍ୱତନ୍ତ୍ର ଯୋଗ ଅନୁଷ୍ଠାନ ପ୍ରତିଷ୍ଠା କରାଯିବ ବୋଲି ସେ ଘୋଷଣା କରିଥିଲେ। ଏହି ଅନୁଷ୍ଠାନ ଯୋଗ ଶିକ୍ଷା, ଗବେଷଣା ଓ ପ୍ରଶିକ୍ଷଣ କ୍ଷେତ୍ରରେ ଏକ ପ୍ରମୁଖ କେନ୍ଦ୍ର ଭାବେ ବିକଶିତ ହେବ ବୋଲି ଆଶା କରାଯାଉଛି।ଯୋଗକୁ ଘରେ ଘରେ ପହଞ୍ଚାଇ ଏକ ସୁସ୍ଥ, ସଚେତନ ଓ ସକ୍ଷମ ଓଡ଼ିଶା ଗଠନ କରିବା ହିଁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଯୋଗ ଦିବସ ଅବସରରେ ତାଙ୍କ ଏହି ବାର୍ତ୍ତା ଉପସ୍ଥିତ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସଚେତନତାର ଏକ ନୂଆ ଉତ୍ସାହ ସୃଷ୍ଟି କରିଥିଲା।

