ନ୍ୟୁଜ ଡେକ୍ସ : ଭେନେଜୁଏଲାରେ ଜୁନ ୨୫ରେ ହୋଇଥିବା ଶକ୍ତିଶାଳୀ ଭୂକମ୍ପ ପରେ ପରିସ୍ଥିତି ଅତ୍ୟନ୍ତ ଭୟାବହ ହୋଇପଡ଼ିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ମୃତକଙ୍କ ସଂଖ୍ୟା ୧ ହଜାର ଅତିକ୍ରମ କରିଥିବାବେଳେ ୫୨ ହଜାରରୁ ଅଧିକ ଲୋକ ଏବେ ମଧ୍ୟ ନିଖୋଜ ଥିବା ସୂଚନା ମିଳିଛି। ଏହା ସହ ଗତକାଲି ଉତ୍ତର ଉପକୂଳ ଅଞ୍ଚଳରେ ପୁଣି ୪.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହେବାରୁ କ୍ଷୟକ୍ଷତି ଆହୁରି ବଢ଼ିଛି।ଏହି ସଙ୍କଟ ସମୟରେ ଭାରତ ସରକାର ସହାୟତାର ହାତ ବଢ଼ାଇ ସ୍ୱତନ୍ତ୍ର ଉଦ୍ଧାର ଅଭିଯାନ ଆରମ୍ଭ କରିଛନ୍ତି।
ଭାରତ ପକ୍ଷରୁ ୩୫ ଟନ ଜୀବନରକ୍ଷାକାରୀ ଚିକିତ୍ସା ସାମଗ୍ରୀ ସହ ୪୧ ଜଣିଆ ଚିକିତ୍ସକ ଦଳ ପଠାଯାଇଛି। ଏହାଛଡ଼ା ଆମେରିକା ସମେତ ଅନେକ ଦେଶ ଏବଂ ଜାତିସଂଘର ପ୍ରାୟ ଏକ ହଜାର ଉଦ୍ଧାରକାରୀ କର୍ମୀ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଏପର୍ଯ୍ୟନ୍ତ ଧ୍ୱଂସସ୍ତୂପ ତଳୁ ୨୪୩ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଜଣେ ୧୫ ବର୍ଷୀୟା ନାବାଳିକା ଏବଂ ମାତ୍ର ୧୮ ଦିନର ଏକ ନବଜାତ ଶିଶୁ ଥିବା ଜଣାପଡ଼ିଛି। ତଥାପି ହଜାର ହଜାର ଲୋକ ଏବେ ମଧ୍ୟ ଧ୍ୱଂସାବଶେଷ ତଳେ ଫସି ରହିଥିବାରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଭାବେ ଚାଲିଛି।
କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲସି ରୋଡ୍ରିଗଜ୍ ଲୋକଙ୍କୁ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି, ଯାହାଦ୍ୱାରା ଉଦ୍ଧାରକାରୀ ଦଳ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରିପାରିବେ।ରାଜଧାନୀ କାରାକାସରେ ଅସ୍ଥାୟୀ ଶିବିର ଖୋଲାଯାଇ ବାସହୀନ ପରିବାରଙ୍କୁ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯାଉଛି। ତେବେ ସ୍ୱାସ୍ଥ୍ୟସେବା ଓ ପରିମଳ ବ୍ୟବସ୍ଥାରେ ଗୁରୁତର ଅଭାବ ରହିଛି। ପ୍ରାୟ ୬୭ ଲକ୍ଷ ଲୋକ ଏହି ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବାରୁ ଦେଶ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ମାନବୀୟ ସଙ୍କଟର ସାମ୍ନା କରୁଛି।

