ନ୍ୟୁଜ ଡେକ୍ସ : ତାମିଲନାଡୁରେ ଘଟିଥିବା ଗ୍ୟାସ ଦୁର୍ଘଟଣାରେ କେନ୍ଦୁଝର ଜିଲ୍ଲାର ୧୧ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ସେଠାରୁ ସୁରକ୍ଷିତ ଭାବେ ଫେରିଥିବା ଶ୍ରମିକମାନେ ନିଜର ଅନୁଭୂତି ବଖାଣିଛନ୍ତି। ଆଜି ମୋଟ ୬୨ ଜଣ ଶ୍ରମିକ ଓଡ଼ିଶା ଫେରିଥିବାବେଳେ ସେମାନଙ୍କ ମଧ୍ୟରୁ ୫୮ ଜଣ କେନ୍ଦୁଝର ଜିଲ୍ଲାର ଏବଂ ଅନ୍ୟ ୪ ଜଣ କୋରାପୁଟ, ରାୟଗଡ଼ା, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ବୋଲି ଜଣାପଡ଼ିଛି।
ତାମିଲନାଡୁରୁ ପ୍ରଥମେ ଭୁବନେଶ୍ୱର ଏବଂ ପରେ ସ୍ୱତନ୍ତ୍ର ବସ୍ରେ କେନ୍ଦୁଝର ଆଣିବା ପରେ ଜିଲ୍ଲା ପ୍ରଶାସନ ସମସ୍ତଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇଛି। ଫେରିଥିବା ଶ୍ରମିକଙ୍କ ମଧ୍ୟରେ ୨୩ ଜଣ ମହିଳା ଓ ୩୫ ଜଣ ପୁରୁଷ ରହିଛନ୍ତି। ହରିଚନ୍ଦନପୁର, ଘଟଗାଁ, ତେଲକୋଇ ଓ ବାଂଶପାଳ ଅଞ୍ଚଳର ଶ୍ରମିକମାନଙ୍କୁ ପୃଥକ ପୃଥକ ବସ୍ରେ ନିଜ ନିଜ ବ୍ଲକକୁ ପଠାଯାଇଛି।ଶ୍ରମିକମାନେ କହିଛନ୍ତି, କେନ୍ଦୁଝରରେ ନିୟମିତ କାମ ନମିଳିବାରୁ ଅଧିକ ରୋଜଗାର ଆଶାରେ ସେମାନେ ତାମିଲନାଡୁ ଯାଇଥିଲେ। ସେଠାରେ ପ୍ରାୟ ୫୦୦ ଜଣ ଶ୍ରମିକ କାମ କରୁଥିଲେ। ଘଟଣା ଦିନ ସବୁକିଛି ସାଧାରଣ ଥିଲା, କିନ୍ତୁ ହଠାତ୍ ଘଟିଥିବା ଦୁର୍ଘଟଣାରେ ଅନେକ ଜୀବନ ଚାଲିଯିବ ବୋଲି କେହି କଳ୍ପନା କରିନଥିଲେ।
ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ସହଯୋଗରେ ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଅଣାଯାଇଛି। ତେବେ ଏହି ଘଟଣାରେ ଶ୍ରମିକମାନଙ୍କୁ କାମକୁ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ ହୋଇନଥିବାରୁ ସାଧାରଣରେ ପ୍ରଶ୍ନ ଉଠିଛି।ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ତେଲକୋଇ ବିଧାୟକ ଡାକ୍ତର ଫକୀର ନାୟକ କହିଛନ୍ତି, ଦୋଷୀଙ୍କ ବିରୋଧରେ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସାଂସଦ ଅନନ୍ତ ନାୟକ ମଧ୍ୟ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଦାଦନ ସମସ୍ୟା କମାଇବା ପାଇଁ ପ୍ରୟାସ କରାଯିବ ବୋଲି କହିଛନ୍ତି।

