Sun. Jun 28th, 2026

ନ୍ୟୁଜ ଡେକ୍ସ : ବୁଦ୍ଧବିହାର ପରେ ଏବେ ନୀଳମାଧବ ବସ୍ତିବାସିନ୍ଦା ଆବାସ ପ୍ରକଳ୍ପକୁ ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ଘର ଅନେକ ହିତାଧିକାରୀ ନିଜେ ନ ରହି ବାହାର ଲୋକଙ୍କୁ ମାସିକ ୮ରୁ ୧୦ ହଜାର ଟଙ୍କାରେ ଭଡ଼ାରେ ଦେଉଥିବା ଅଭିଯୋଗ ଉଠିଛି। ଏହାକୁ ନେଇ ପ୍ରକୃତ ଆବଶ୍ୟକତା ଥିବା ଲୋକଙ୍କୁ ଘର ମିଳିଛି କି ନାହିଁ, ସେନେଇ ପ୍ରଶ୍ନ ଉଠିଛି।ସ୍ଥାନୀୟ କର୍ପୋରେଟର ଇତିଶ୍ରୀ ଦାସ ଅଭିଯୋଗ କରିଛନ୍ତି ଯେ ପ୍ରକଳ୍ପର ପ୍ରାୟ ୭୦ ପ୍ରତିଶତ ଘର ଭଡ଼ାରେ ଲାଗିଛି।

ସେ ଏହି ପ୍ରସଙ୍ଗରେ ମେୟର, କମିଶନର ଓ ନଗର ନିଗମ ବୈଠକରେ ଏକାଧିକ ଥର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଦୃଢ଼ ପଦକ୍ଷେପ ନିଆଯାଇନଥିବା ଦାବି କରିଛନ୍ତି।କିଛିଦିନ ପୂର୍ବରୁ ଏକ ଚୋରି ଘଟଣାର ତଦନ୍ତ ବେଳେ ସମ୍ପୃକ୍ତ ଘରରେ ଭଡ଼ାଟିଆ ରହୁଥିବା ଜଣାପଡ଼ିଥିଲା। ପରେ ମିଳିତ ଯାଞ୍ଚ ପରେ ଦୁଇଟି ଘରକୁ ସିଲ୍ କରାଯାଇଥିଲେ ମଧ୍ୟ ଅନ୍ୟ ସ୍ଥାନରେ ଭଡ଼ା ଦେବା ଚାଲିଥିବା ଅଭିଯୋଗ ରହିଛି।ନୀଳମାଧବ ପ୍ରକଳ୍ପରେ ବସ୍ତିବାସିନ୍ଦାଙ୍କ ପାଇଁ ୧୨ଶହ ଘର ନିର୍ମାଣ ଯୋଜନା ରହିଥିବାବେଳେ ୯୪୦ଟି ଘର ପ୍ରସ୍ତୁତ ହୋଇସାରିଛି।

ସେଥିରୁ ପ୍ରାୟ ୬ଶହ ଘର ବଣ୍ଟନ ହୋଇଛି। ତେବେ ହିତାଧିକାରୀ ଚୟନରେ ଅନିୟମିତତା ହୋଇଥିବା, ଗୋଟିଏ ପରିବାରର ଏକାଧିକ ସଦସ୍ୟଙ୍କୁ ଘର ଦିଆଯାଇଥିବା ଏବଂ ସ୍ବଚ୍ଛଳ ବ୍ୟକ୍ତିମାନେ ମଧ୍ୟ ଏହାର ସୁବିଧା ପାଇଥିବା ଅଭିଯୋଗ କରାଯାଇଛି।ନଗର ନିଗମର ଜଣେ ଅଧିକାରୀ କହିଛନ୍ତି, ଭଡ଼ାରେ ଘର ଦେବା ସମ୍ପର୍କିତ ଅଭିଯୋଗ ଏବଂ କିଛି ହିତାଧିକାରୀଙ୍କ ପାଖରେ ଗାଡ଼ି, ଜମି ଓ ଅନ୍ୟ ଘର ଥିବା ସୂଚନା ପ୍ରଶାସନ ପାଖରେ ରହିଛି। ସମସ୍ତ ତଥ୍ୟର ଯାଞ୍ଚ ପରେ ଅଚାନକ ଚଢ଼ାଉ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *