Tue. Jun 30th, 2026

ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଥିବା ଅନେକ ଗ୍ରାମ ବିକାଶ ଅଭାବରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଜାତୀୟ ରାଜପଥ-୧୬ ନିକଟରେ ଥିବା ନାରଗୋଦା ଗ୍ରାମ ଏହାର ଏକ ପ୍ରମୁଖ ଉଦାହରଣ। ଗ୍ରାମରେ ବହୁତଳ କୋଠା ଥିଲେ ମଧ୍ୟ ମୌଳିକ ସୁବିଧାର ଅଭାବ ଲୋକଙ୍କ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଛି।ଗ୍ରାମର ରାସ୍ତା ସଂକୀର୍ଣ୍ଣ ଥିବାରୁ ଯାତାୟାତରେ ସମସ୍ୟା ସୃଷ୍ଟି ହେଉଛି।

ପାନୀୟ ଜଳ ସଙ୍କଟ, ଜବରଦଖଲ ଓ ବର୍ଜ୍ୟବସ୍ତୁ ପରିଚାଳନାର ଅବ୍ୟବସ୍ଥା ଯୋଗୁଁ ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ପଞ୍ଚାୟତ ପକ୍ଷରୁ ମଧ୍ୟେମଧ୍ୟେ ସଫେଇ କରାଯାଉଥିଲେ ମଧ୍ୟ ସ୍ଥାୟୀ ସମାଧାନ ହୋଇପାରୁନାହିଁ।କେବଳ ନାରଗୋଦା ନୁହେଁ, ରଣସିଂହପୁର, ସିଜୁଆ, ସିଜିପୁଟ, ସହଜପୁର, ତମାଣ୍ଡୋ ଓ ଅଣ୍ଡିଲୋ ସମେତ ଭୁବନେଶ୍ୱର ଉପକଣ୍ଠର ଅନେକ ଗ୍ରାମ ସମାନ ସମସ୍ୟା ଦେଇ ଗତି କରୁଛନ୍ତି। ସହର ସୀମାକୁ ଲାଗି ରହିଥିଲେ ମଧ୍ୟ ବିକାଶର ସୁଫଳ ଏହି ଗ୍ରାମଗୁଡ଼ିକରେ ପହଞ୍ଚିପାରିନାହିଁ।ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମରେ ଉପକଣ୍ଠର ୭ଟି ଗ୍ରାମ ପଞ୍ଚାୟତର ୨୬ଟି ଗ୍ରାମକୁ ସାମିଲ କରିବା ପ୍ରସ୍ତାବ ଦୀର୍ଘଦିନ ଧରି ଝୁଲି ରହିଛି। ୨୦୨୫ ଡିସେମ୍ବରରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।

ଏହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅନିଶ୍ଚିତତା ଦେଖାଦେଇଛି। ବିଶେଷକରି ୨୦୨୭ରେ ସମ୍ଭାବ୍ୟ ପୌର ଓ ପଞ୍ଚାୟତ ନିର୍ବାଚନକୁ ନେଇ ଲୋକେ କେଉଁ ପ୍ରଶାସନିକ ବ୍ୟବସ୍ଥା ଅଧୀନରେ ରହିବେ, ତାହା ସ୍ପଷ୍ଟ ହୋଇନାହିଁ। ଗ୍ରାମଗୁଡ଼ିକ କେଉଁ ୱାର୍ଡରେ ସାମିଲ ହେବେ କିମ୍ବା ସ୍ୱତନ୍ତ୍ର ୱାର୍ଡ ଗଠନ ହେବ, ସେନେଇ ମଧ୍ୟ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ।ଅନ୍ୟପକ୍ଷରେ, ୨୦୨୭ ନିର୍ବାଚନକୁ ଆଖି ଆଗରେ ରଖି ଆଶାୟୀ ପ୍ରାର୍ଥୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ସେମାନେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିବେ ନା ବିଏମ୍ସି ଅଞ୍ଚଳକୁ ଗୁରୁତ୍ୱ ଦେବେ, ତାହା ନେଇ ଅସ୍ପଷ୍ଟତା ରହିଛି। ତଥାପି କେତେକ ଆଶାୟୀ ଏବେଠାରୁ ବ୍ୟାନର ଓ ପୋଷ୍ଟର ଲଗାଇ ଜନସମର୍ଥନ ହାସଲ ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *