Tue. Jun 30th, 2026

ନ୍ୟୁଜ ଡେକ୍ସ : ପ୍ରାୟ ୧୦୦ ବର୍ଷ ପରେ ଅଲିମ୍ପିକ୍ସକୁ କ୍ରିକେଟ୍ ଫେରିବାକୁ ଯାଉଛି। ୨୦୨୮ ମସିହାରେ ଲସ୍ ଏଞ୍ଜେଲ୍ସରେ ହେବାକୁ ଥିବା ଅଲିମ୍ପିକ୍ସରେ ଟ୍ୱେଣ୍ଟି-୨୦ ଫର୍ମାଟ୍‌ରେ କ୍ରିକେଟ୍ ଖେଳାଯିବ। ପୁରୁଷ ଓ ମହିଳା ବର୍ଗରେ ୬ଟି ଲେଖାଏଁ ଦଳ ଅଂଶଗ୍ରହଣ କରିବେ। ଏହାକୁ ନେଇ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ସୋମବାର ଯୋଗ୍ୟତା ମାନଦଣ୍ଡ ଘୋଷଣା କରିଛି।ଆଇସିସିର ନୂତନ ନିୟମ ଅନୁଯାୟୀ, ୨୦୨୬ ଡିସେମ୍ବର ୩୧ ସୁଦ୍ଧା ଟ୍ୱେଣ୍ଟି-୨୦ ରାଙ୍କିଙ୍ଗରେ ନିଜ ନିଜ ମହାଦେଶର ଶୀର୍ଷ ସ୍ଥାନରେ ଥିବା ପୁରୁଷ ଦଳ ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବେ।

ଏହି ମାନଦଣ୍ଡ ଅନୁଯାୟୀ ଭାରତୀୟ ପୁରୁଷ ଦଳ ବର୍ତ୍ତମାନ ଏସିଆର ଏକ ନମ୍ବର ସ୍ଥାନରେ ଥିବାରୁ ଅଲିମ୍ପିକ୍ସ ଟିକେଟ୍ ହାସଲ କରିବାର ଦୃଢ଼ ସମ୍ଭାବନା ରହିଛି।ମହିଳା ବର୍ଗରେ ମଧ୍ୟ ଭାରତ ପାଇଁ ଖୁସି ଖବର ରହିଛି। ଇଂଲଣ୍ଡରେ ଚାଲିଥିବା ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ଭାରତ ସେମିଫାଇନାଲ୍‌କୁ ଯାଇନଥିଲେ ମଧ୍ୟ ଏସିଆର ଶୀର୍ଷ ଦଳ ଭାବେ ରହିଥିବାରୁ ସିଧାସଳଖ ଯୋଗ୍ୟତା ପାଇବାର ସ୍ଥିତିରେ ଅଛି।ପୁରୁଷ ବର୍ଗରେ ଚାରିଟି ମହାଦେଶର ଶୀର୍ଷ ଦଳ ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ଅବଶିଷ୍ଟ ସ୍ଥାନ ପାଇଁ ଫାଇନାଲ୍ ଗ୍ଲୋବାଲ୍ ଅଲିମ୍ପିକ୍ସ ଯୋଗ୍ୟତା ପ୍ରତିଯୋଗିତା ଖେଳାଯିବ। ମହିଳା ବର୍ଗରେ ମଧ୍ୟ ବିଶ୍ୱକପ୍ ପ୍ରଦର୍ଶନ ଆଧାରରେ ବିଭିନ୍ନ ମହାଦେଶର ଶୀର୍ଷ ଦଳ ଅଲିମ୍ପିକ୍ସ ଟିକେଟ୍ ପାଇବେ।ବର୍ତ୍ତମାନ ସୁଦ୍ଧା ମହିଳା ବର୍ଗରେ ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ପ୍ରାରମ୍ଭିକ ସ୍ଲଟ୍ ଦଖଲ କରିଛନ୍ତି।

ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏକାଧିକ କାରିବୀୟ ଦେଶର ମିଳିତ ଦଳ ହୋଇଥିବାରୁ ଅଲିମ୍ପିକ୍ସରେ ସିଧାସଳଖ ଅଂଶଗ୍ରହଣ ପାଇଁ ଅଯୋଗ୍ୟ ବୋଲି ଆଇସିସି ସ୍ପଷ୍ଟ କରିଛି।ଆୟୋଜକ ଦେଶ ଆମେରିକାର ପୁରୁଷ ଓ ମହିଳା ଦଳଙ୍କୁ ମଧ୍ୟ ଅଲିମ୍ପିକ୍ସରେ ସ୍ଥାନ ପାଇବା ପାଇଁ ଆଇସିସି ଟ୍ୱେଣ୍ଟି-୨୦ ରାଙ୍କିଙ୍ଗର ଶ୍ରେଷ୍ଠ ୧୫ ମଧ୍ୟରେ ରହିବାକୁ ପଡ଼ିବ। ଏହା ବ୍ୟତୀତ ଅନ୍ୟ ଦଳଗୁଡ଼ିକ ଫାଇନାଲ୍ ଗ୍ଲୋବାଲ୍ ଯୋଗ୍ୟତା ପ୍ରତିଯୋଗିତା ମାଧ୍ୟମରେ ଅଲିମ୍ପିକ୍ସରେ ସ୍ଥାନ ସୁନିଶ୍ଚିତ କରିବେ।

Leave a Reply

Your email address will not be published. Required fields are marked *