ନ୍ୟୁଜ ଡେକ୍ସ : ବନ୍ଦ ହୋଇଯାଇଥିବା ବୀମା ପଲିସିରୁ ଅଧିକ ଟଙ୍କା ମିଳିବ ବୋଲି ଲୋଭ ଦେଖାଇ ଜଣେ ବ୍ୟକ୍ତିଙ୍କଠାରୁ ୨ ଲକ୍ଷ ୧୮ ହଜାର ୯୩୦ ଟଙ୍କା ଠକିନେଇଛନ୍ତି ସାଇବର ଠକ। ଘଟଣାରେ ଠକେଇର ଶିକାର ହୋଇଥିବା ବ୍ୟକ୍ତି ଜଗତସିଂହପୁର ଥାନାରେ ଏତଲା ଦେଇଥିବା ବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁସାରେ, ଦେଭୋଗ ଗ୍ରାମର ଅଜୟ କୁମାର ପତି ଏଚଡିଏଫସି ଲାଇଫରେ ୫୦ ହଜାର ଟଙ୍କାର ଏକ ବୀମା ପଲିସି କରିଥିଲେ।
ପରେ ସେ ପଲିସିଟିକୁ ଚାଲୁ ରଖି ନଥିଲେ। ବୀମାକୁ ପୁନଃ ସକ୍ରିୟ କରିବା ପାଇଁ ସଂସ୍ଥା ପକ୍ଷରୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେ ରାଜି ହୋଇନଥିଲେ।ଏହି ସୁଯୋଗର ଫାଇଦା ଉଠାଇ ସାଇବର ଠକମାନେ ଅଜୟଙ୍କ ବନ୍ଦ ପଡ଼ିଥିବା ପଲିସି ସମ୍ପର୍କିତ ତଥ୍ୟ ସଂଗ୍ରହ କରି ତାଙ୍କ ସହ ଯୋଗାଯୋଗ କରିଥିଲେ। ପଲିସି ବାବଦରେ ବହୁ ପରିମାଣର ଟଙ୍କା ମିଳିବ ବୋଲି କହି ପ୍ରଥମେ ୮ ହଜାର ଟଙ୍କା ପ୍ରୋସେସିଂ ଫି ଜମା କରିବାକୁ କହିଥିଲେ। ଏହା ବଦଳରେ ସୁଧ ସହ ୭୮ ହଜାର ଟଙ୍କା ଫେରସ୍ତ ମିଳିବ ବୋଲି ବିଶ୍ୱାସ ଦେଇଥିଲେ। ଅଜୟ ଠକଙ୍କ କଥାରେ ବିଶ୍ୱାସ କରି ୮ ହଜାର ଟଙ୍କା ପଠାଇଥିଲେ।ଏହା ପରେ ଠକ ଅଜୟଙ୍କ ନାମରେ ୪ ଲକ୍ଷ ୭୮ ହଜାର ଟଙ୍କାର ଏକ ଡିମାଣ୍ଡ ଡ୍ରାଫ୍ଟର ଫଟୋ ହ୍ୱାଟସଆପରେ ପଠାଇଥିଲେ।
ଏହାକୁ ଦେଖି ଅଜୟ ପୁଣି ୪୨ ହଜାର ଟଙ୍କା ପଠାଇଥିଲେ। ପରେ ପୁଣି ୭ ଲକ୍ଷ ୨୫ ହଜାର ୧୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟର ଫଟୋ ପଠାଇ ଆହୁରି ଟଙ୍କା ଦେବାକୁ କହିଥିଲେ। ଏଭଳି ବାରମ୍ବାର ଅନଲାଇନ୍ ପେମେଣ୍ଟ କରାଇ ମୋଟ ୨ ଲକ୍ଷ ୧୮ ହଜାର ୯୩୦ ଟଙ୍କା ଠକିନେଇଥିଲେ।ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଟଙ୍କା ନମିଳିବାରୁ ଅଜୟ ନିଜେ ଠକେଇର ଶିକାର ହୋଇଥିବା ବୁଝିପାରିଥିଲେ। ପରେ ସେ ଜଗତସିଂହପୁର ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ସାଇବର ଠକଙ୍କ ସନ୍ଧାନରେ ତଦନ୍ତ ଜାରି ରଖିଛି।

