ନ୍ୟୁଜ ଡେକ୍ସ : ନିର୍ଦ୍ଦେଶିକା ନନ୍ଦିନୀ ରେଡ୍ଡିଙ୍କ ଚଳଚ୍ଚିତ୍ର ‘ମା ଇଣ୍ଟି ବଙ୍ଗାରମ’ ମୁକ୍ତିଲାଭ ପରଠାରୁ ବକ୍ସ ଅଫିସରେ ଜୋରଦାର ସଫଳତା ହାସଲ କରିଛି। ଫିଲ୍ମରେ ସାମନ୍ଥା ରୁଥ୍ ପ୍ରଭୁଙ୍କ ଅଭିନୟ ଦର୍ଶକଙ୍କ ପ୍ରଶଂସା ସାଉଁଟିବା ସହ ତେଲୁଗୁ ସିନେମାରେ ଏକ ନୂଆ ରେକର୍ଡ ମଧ୍ୟ ସୃଷ୍ଟି କରିଛି।ଜୁନ୍ ୧୯ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ସାରା ବିଶ୍ୱରେ ୮୩ କୋଟି ଟଙ୍କା ଏବଂ ଭାରତରେ ୫୦ କୋଟିରୁ ଅଧିକ ଟଙ୍କା ଆୟ କରିଛି।
ଏହା ସହିତ ‘ମା ଇଣ୍ଟି ବଙ୍ଗାରମ’ ତେଲୁଗୁ ସିନେମା ଇତିହାସରେ ସର୍ବାଧିକ ଆୟକାରୀ ମହିଳା-ପ୍ରଧାନ ଚଳଚ୍ଚିତ୍ରର ମାନ୍ୟତା ହାସଲ କରିଛି।ଏହା ପୂର୍ବରୁ ଏହି ରେକର୍ଡ ୨୦୦୯ରେ ମୁକ୍ତିଲାଭ କରିଥିବା ଅନୁଷ୍କା ଶେଟ୍ଟୀଙ୍କ ‘ଅରୁନ୍ଧତୀ’ ନାମରେ ଥିଲା। ସେହି ଫିଲ୍ମ ବିଶ୍ୱବ୍ୟାପୀ ୭୦ କୋଟିରୁ ଅଧିକ ଟଙ୍କା ଆୟ କରିଥିଲା। ବର୍ତ୍ତମାନ ସାମନ୍ଥାଙ୍କ ଅଭିନୀତ ‘ମା ଇଣ୍ଟି ବଙ୍ଗାରମ’ ସେହି ରେକର୍ଡକୁ ପଛରେ ପକାଇ ନୂଆ ଇତିହାସ ସୃଷ୍ଟି କରିଛି।
ସାମନ୍ଥାଙ୍କ ପ୍ରଯୋଜନା ସଂସ୍ଥା ‘ତ୍ରଲାଲା ମୁଭିଂ ପିକଚର୍ସ’ ସୋସିଆଲ ମିଡିଆରେ ଏହି ସଫଳତାକୁ ନିଶ୍ଚିତ କରି କହିଛି ଯେ ‘ମା ଇଣ୍ଟି ବଙ୍ଗାରମ’ ସୁନା ଅକ୍ଷରରେ ଇତିହାସ ରଚିଛି ଏବଂ ତେଲୁଗୁ ସିନେମାର ସର୍ବାଧିକ ଆୟକାରୀ ମହିଳା-ପ୍ରଧାନ ଫିଲ୍ମ ପାଲଟିଛି।ତେବେ ଦକ୍ଷିଣ ଭାରତୀୟ ସିନେମାର ସର୍ବାଧିକ ଆୟକାରୀ ମହିଳା-ନେତୃତ୍ୱାଧୀନ ଚଳଚ୍ଚିତ୍ରର ରେକର୍ଡ ଏବେ ମଧ୍ୟ ମାଲାୟଲମ ଫିଲ୍ମ ‘ଲୋକା: ଚାପ୍ଟର ୧ – ଚନ୍ଦ୍ରା’ ନାମରେ ରହିଛି। କଲ୍ୟାଣୀ ପ୍ରିୟଦର୍ଶନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ୩୦୦ କୋଟିରୁ ଅଧିକ ଟଙ୍କା ଆୟ କରି ନୂଆ ମାଇଲଖୁଣ୍ଟ ସ୍ଥାପନ କରିଥିଲା।

