ନ୍ୟୁଜ ଡେକ୍ସ : ଆଜି ଅନବସରର ପଞ୍ଚମ ଦିବସରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ନିକଟରେ ପାରମ୍ପରିକ ନୀତି ଅନୁଯାୟୀ ଫୁଲୁରୀ ତେଲ ଲାଗି କରାଯିବ। ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ଏବଂ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହେବା ପରେ ପଞ୍ଚମୀ ତିଥିରେ ଏହି ଔଷଧୀୟ ତୈଳ ଲାଗି କରିବାର ପରମ୍ପରା ରହିଛି।
ଏଥିପାଇଁ ବଡଓଡ଼ିଆ ମଠରେ ଫୁଲୁରୀ ତେଲ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ମଧ୍ୟାହ୍ନ ଧୂପ ନୀତି ପରେ ଏହି ତେଲ ଶ୍ରୀମନ୍ଦିରକୁ ବିଜେ କରାଯିବ। ପରେ ରାତ୍ରିରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଏହି ଫୁଲୁରୀ ତେଲ ଲାଗି କରିବେ।ସ୍ନାନ ପୂର୍ଣ୍ଣିମା ପରେ ଅନବସର କାଳରେ ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କର ଗୁପ୍ତସେବା ଦଇତାପତି ସେବକମାନେ କରିଥାନ୍ତି।
ଜ୍ୱରର ଉତ୍ତାପ କମାଇବା ଓ ଶ୍ରୀଅଙ୍ଗର ସୁସ୍ଥତା ପାଇଁ ଏହି ଔଷଧୀୟ ତୈଳର ପ୍ରଲେପ କରାଯାଏ।ଉଲ୍ଲେଖଯୋଗ୍ୟ, ସ୍ନାନ ପରେ ପ୍ରଥମ ଦୁଇ ଦିନ ଶ୍ରୀଅଙ୍ଗରୁ ଓଦାବସ୍ତ୍ର ଓଲାଗି ନୀତି ସମ୍ପନ୍ନ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ଦିବସରେ ଶ୍ରୀଅଙ୍ଗ ଓ ଶ୍ରୀମୁଖ ଫିଟା ନୀତି ସମାପନ ହୋଇଛି। ଆଜି ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଲାଗି ନୀତି ଅନବସର ପରମ୍ପରାର ଏକ ପ୍ରମୁଖ ଅଂଶ ଭାବେ ସମ୍ପନ୍ନ ହେବ।

