Tue. Jul 7th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ଡେପୁଟି କମିଶନର ଅଫ୍ ପୋଲିସ (ଡିସିପି) ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ଓଡ଼ିଶା ପୋଲିସ ମହଲରେ ବ୍ୟାପକ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ୨୦୧୩ ବ୍ୟାଚ୍‌ର ଏହି ଆଇପିଏସ୍ ଅଧିକାରୀ ନିଜର ଇସ୍ତଫା ପତ୍ର ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପାଇଁ ସେ ବ୍ୟକ୍ତିଗତ କାରଣ ଦର୍ଶାଇଥିବା ବେଳେ ଏପର୍ଯ୍ୟନ୍ତ ସରକାର ତାହାକୁ ଗ୍ରହଣ କରିନାହାନ୍ତି।ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ଯେ ଇସ୍ତଫା ପତ୍ର ସରକାରଙ୍କ ନିକଟରେ ପହଞ୍ଚିଛି ଏବଂ ବର୍ତ୍ତମାନ ଏହାର ବିଭିନ୍ନ ଦିଗକୁ ନେଇ ଯାଞ୍ଚ ଚାଲିଛି।

ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପରେ ଆଗାମୀ ପଦକ୍ଷେପ ସ୍ପଷ୍ଟ ହେବ। ଅନ୍ୟପକ୍ଷରେ, ଜଗମୋହନ ମୀନା ଏହି ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି।ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ସରକାରୀ ଚାକିରି ଛାଡ଼ିବା ପରେ ଜଗମୋହନ ମୀନା ଘରୋଇ କ୍ଷେତ୍ରରେ ନୂଆ କ୍ୟାରିୟର ଆରମ୍ଭ କରିପାରନ୍ତି। ଏପରିକି ରାଜସ୍ଥାନରେ ତାଙ୍କର ଜଣେ ନିକଟ ସମ୍ପର୍କୀୟଙ୍କ ମାଲିକାନାରେ ଥିବା ଏକ ବଡ଼ କମ୍ପାନୀରେ ସେ ଯୋଗ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଏହି ସମ୍ପର୍କରେ କୌଣସି ସରକାରୀ ପୁଷ୍ଟିକରଣ ହୋଇନାହିଁ।ଜଗମୋହନ ମୀନା ଓଡ଼ିଶାରେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ପରିଚିତ। ସେ ପୂର୍ବରୁ ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାର ପୁଲିସ ଅଧୀକ୍ଷକ ଏବଂ କଟକ ସହରାଞ୍ଚଳ ପୋଲିସ ଜିଲ୍ଲାର ଡିସିପି ଭାବେ କାର୍ଯ୍ୟ କରିଥିଲେ। ପରେ ୨୦୨୫ ଫେବୃଆରୀ ୨୮ ତାରିଖରେ ତାଙ୍କୁ ଭୁବନେଶ୍ୱର ଡିସିପି ଭାବେ ନିଯୁକ୍ତି ମିଳିଥିଲା।ତାଙ୍କର ଇସ୍ତଫା ପ୍ରସଙ୍ଗ ଏପରି ଏକ ସମୟରେ ସାମ୍ନାକୁ ଆସିଛି, ଯେତେବେଳେ କମିଶନରେଟ୍ ପୋଲିସ ନିକଟରେ ଘଟିଥିବା କେତେକ ସମ୍ବେଦନଶୀଳ ଘଟଣାକୁ ନେଇ ସମାଲୋଚନାର ସମ୍ମୁଖୀନ ହୋଇଛି।

ବିଶେଷକରି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ରେଳବାଇ କନଷ୍ଟେବଳ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କୁ ଦିନଦ୍ୱିପହରରେ ପିଟିପିଟି ହତ୍ୟା କରାଯିବା ଘଟଣା ପରେ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଥିଲା। ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।ଏହି ପରିସ୍ଥିତି ମଧ୍ୟରେ ଡିସିପିଙ୍କ ଇସ୍ତଫା ଖବର ସାମ୍ନାକୁ ଆସିବା ପରେ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ଚର୍ଚ୍ଚା ଆରମ୍ଭ ହୋଇଛି। ତାଙ୍କ ସହକର୍ମୀମାନଙ୍କ ମତରେ, ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଏବଂ ହଠାତ୍ ହୋଇଛି। ଅନେକ ଅଧିକାରୀ ଏହାର ପ୍ରକୃତ କାରଣ ସମ୍ପର୍କରେ ଅବଗତ ନଥିବା ବେଳେ, ସରକାରଙ୍କ ନିଷ୍ପତ୍ତି ପରେ ଏହି ପ୍ରସଙ୍ଗର ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *