ନ୍ୟୁଜ ଡେକ୍ସ : ବଡ଼ ପରଦାରେ ସଫଳତା ପାଇବା ପରେ ଏବେ ଦକ୍ଷିଣ ସୁପରଷ୍ଟାର ରାମ ଚରଣଙ୍କ କ୍ରୀଡା ଭିତ୍ତିକ ଆକ୍ସନ୍-ଡ୍ରାମା ଫିଲ୍ମ ‘ପେଦି’ OTT ପ୍ଲାଟଫର୍ମରେ ରିଲିଜ ପାଇଁ ପ୍ରସ୍ତୁତ ହୋଇଛି। ଫିଲ୍ମଟି ଆସନ୍ତା ଜୁଲାଇ ୯ ତାରିଖରୁ ନେଟଫ୍ଲିକ୍ସରେ ଷ୍ଟ୍ରିମିଂ ହେବ।‘ପେଦି’ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟଲମ ସମେତ ପାଞ୍ଚଟି ଭାଷାରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବ। ଏନେଇ ନେଟଫ୍ଲିକ୍ସ ନିଜର ଇନଷ୍ଟାଗ୍ରାମ ଏବଂ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରି ଆନୁଷ୍ଠାନିକ ଘୋଷଣା କରିଛି।
ପୋଷ୍ଟର କ୍ୟାପସନରେ ଲେଖାଯାଇଛି, “ଖେଳ ପରିବର୍ତ୍ତନ ହୋଇପାରେ, କିନ୍ତୁ ଚାମ୍ପିଅନ୍ ସବୁବେଳେ ସମାନ ରହିଥାଏ।”ବିଶ୍ୱବ୍ୟାପୀ ବକ୍ସ ଅଫିସରେ ପ୍ରାୟ ୪୦୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଏହି ଫିଲ୍ମର OTT ରିଲିଜକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ରିଲିଜ ତାରିଖ ଘୋଷଣା ପରେ ରାମ ଚରଣଙ୍କ ପ୍ରଶଂସକମାନେ ମଧ୍ୟ ବେଶ ଖୁସି ଥିବା ଜଣାପଡ଼ିଛି।ବୁଚି ବାବୁ ସାନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରାମ ଚରଣଙ୍କ ବିପକ୍ଷରେ ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଅଭିନୟ କରିଛନ୍ତି। ଫିଲ୍ମରେ ରାମ ଚରଣ ଜଣେ ଦକ୍ଷ କ୍ରୀଡ଼ାବିତ୍ ଭୂମିକାରେ ନଜର ଆସିଛନ୍ତି।
ଆନ୍ଧ୍ର ପ୍ରଦେଶର ଏକ ବିସ୍ମୃତ ଓ ନାମହୀନ ଗାଁକୁ କେନ୍ଦ୍ର କରି ନିର୍ମିତ ଏହି କାହାଣୀରେ ସରକାରୀ ଅବହେଳାର ଶିକାର ହୋଇଥିବା ଗ୍ରାମବାସୀଙ୍କ ସଂଘର୍ଷକୁ ଦର୍ଶାଯାଇଛି। ଆଇନଗତ ସ୍ୱୀକୃତି, ମୌଳିକ ଅଧିକାର ଏବଂ ଏକ ରେଳ ଷ୍ଟେସନ ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ମୁଖ୍ୟ ଚରିତ୍ର ପେଦି ନିଜର କ୍ରୀଡ଼ା ପ୍ରତିଭାକୁ ଅସ୍ତ୍ର କରି ଦୀର୍ଘ ଲଢ଼େଇ ଆରମ୍ଭ କରିଥାଏ। ଏହି କ୍ରୀଡା ଓ ସଂଘର୍ଷର କାହାଣୀକୁ ନେଇ ଫିଲ୍ମଟି ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି।

