Tue. Jul 7th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ସରକାର ସ୍କୁଲ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଏକ ସ୍ୱତନ୍ତ୍ର ଷ୍ଟୁଡେଣ୍ଟ ହେଲ୍ପଲାଇନ୍ ପୋର୍ଟାଲ ଆରମ୍ଭ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତ ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ବିଭିନ୍ନ ସମସ୍ୟା ସିଧାସଳଖ ବିଭାଗକୁ ଜଣାଇପାରିବେ।ଏହି ପୋର୍ଟାଲ ସମ୍ପର୍କରେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି।

ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, www.smeuas.odisha.gov.in ପୋର୍ଟାଲରେ ଲଗ୍‌ଇନ୍ କରି ଛାତ୍ରଛାତ୍ରୀମାନେ ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ।ପୂର୍ବରୁ କେବଳ ଷ୍ଟୁଡେଣ୍ଟ ହେଲ୍ପଲାଇନ୍ ନମ୍ବର ଥିବାବେଳେ ଏବେ ୱେବ୍ ପୋର୍ଟାଲ ମାଧ୍ୟମରେ ମଧ୍ୟ ସରକାର ସିଧାସଳଖ ଛାତ୍ରଛାତ୍ରୀଙ୍କ ସମସ୍ୟା ଗ୍ରହଣ କରିବେ ଏବଂ ତାହାର ସମାଧାନ ପାଇଁ ପଦକ୍ଷେପ ନେବେ। ପାଠପଢ଼ାରେ ଅସୁବିଧା, ସ୍କୁଲ ପରିବେଶ, ମାନସିକ ନିର୍ଯାତନା, ଶିକ୍ଷକଙ୍କ ଅବହେଳା, ଘରୋଇ ଟ୍ୟୁସନ୍, ମଧ୍ୟାହ୍ନ ଭୋଜନ, ପାନୀୟ ଜଳ, ସ୍କୁଲ ଭିତ୍ତିଭୂମି, ନାମଲେଖା, ବାଲ୍ୟ ବିବାହ, ଜାତି ଓ ଧର୍ମ ଜନିତ ସମସ୍ୟା, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ସମସ୍ୟା, ଶିଶୁଙ୍କ ଉପରେ ନିର୍ଯାତନା, ଯୌନ ନିର୍ଯାତନା ସମେତ ବିଭିନ୍ନ ଅଭିଯୋଗ ଏହି ପୋର୍ଟାଲ ମାଧ୍ୟମରେ ଜଣାଇପାରିବେ।

ଅଭିଯୋଗ ଦାଖଲ କରିବା ପାଇଁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ମୋବାଇଲ ନମ୍ବର ଦେଇ ଲଗ୍‌ଇନ୍ କରିବାକୁ ପଡ଼ିବ। ପରେ ନାମ, ସ୍କୁଲର ନାମ, ଶ୍ରେଣୀ, ବ୍ଲକ, ଜିଲ୍ଲା ଓ ଅଭିଯୋଗର ବିବରଣୀ ଦେବା ସହ ଆବଶ୍ୟକ ହେଲେ ଫଟୋ ମଧ୍ୟ ଅପଲୋଡ୍ କରିପାରିବେ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସ୍ପଷ୍ଟ କରିଛି ଯେ, ଏହି ପୋର୍ଟାଲ କେବଳ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ। ଶିକ୍ଷକମାନଙ୍କ ପାଇଁ ଏହି ସୁବିଧା ପ୍ରଯୁଜ୍ୟ ନୁହେଁ। ଏହି ପଦକ୍ଷେପ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଅଭିଯୋଗର ଶୀଘ୍ର ସମାଧାନ ସହ ସୁରକ୍ଷିତ ଓ ସୁସ୍ଥ ଶିକ୍ଷା ପରିବେଶ ସୁନିଶ୍ଚିତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *