ନ୍ୟୁଜ ଡେକ୍ସ : ରାଜ୍ୟବାସୀଙ୍କ ପାଇଁ ପାଣିପାଗକୁ ନେଇ ଆସିଛି ବଡ଼ ଅପଡେଟ୍। ମଙ୍ଗଳବାରଠାରୁ ଓଡ଼ିଶାରେ ବର୍ଷାର ପ୍ରକୋପ କମିବାକୁ ଥିବାବେଳେ କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହି ଆଶ୍ୱସ୍ତି ଦୀର୍ଘଦିନ ରହିବ ନାହିଁ। ଆସନ୍ତା ୧୨ ତାରିଖ ବେଳକୁ ଉତ୍ତର ଓଡ଼ିଶା ଆକାଶରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ପୁଣିଥରେ ରାଜ୍ୟରେ ପ୍ରବଳ ବର୍ଷାର ସେକେଣ୍ଡ ଇନିଂସ ଆରମ୍ଭ ହୋଇପାରେ।
ଏଭଳି ପୂର୍ବାନୁମାନ କରିଛନ୍ତି ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ।ଆଜି ପୂର୍ବାହ୍ନ ୮ଟା ୩୦ ପର୍ଯ୍ୟନ୍ତ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୮ଟି ଜିଲ୍ଲାରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ରେକର୍ଡ ହୋଇପାରେ। ଏହାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ସୋନପୁର, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲା ପାଇଁ ହାଇ-ଆଲର୍ଟ ଜାରି କରାଯାଇଛି। ଏହାବ୍ୟତୀତ ରାଜ୍ୟର ଅନ୍ୟ ୭ଟି ଜିଲ୍ଲାରେ ସ୍ଥାନେ ସ୍ଥାନେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ।
ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୟେଲୋ ଆଲର୍ଟ ଜାରି କରିବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି। ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଓ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ସେଥିପାଇଁ ସ୍ଥାନୀୟ ପ୍ରଶାସନକୁ ଆଗୁଆ ପ୍ରସ୍ତୁତ ରହିବାକୁ କୁହାଯାଇଛି।ଅନ୍ୟପକ୍ଷରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ପାଇଁ ବର୍ତ୍ତମାନ କୌଣସି ପ୍ରକାରର ଚେତାବନୀ ଜାରି କରାଯାଇନାହିଁ। ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପାଣିପାଗ ସ୍ୱାଭାବିକ ରହିବ ବୋଲି ସୂଚନା ମିଳିଛି।

