ନ୍ୟୁଜ ଡେକ୍ସ : ରାଜଧାନୀ ଭୁବନେଶ୍ୱରର ସବୁଠାରୁ ସୁରକ୍ଷିତ ତଥା ହାଇ-ସିକ୍ୟୁରିଟି ଜୋନ୍ ଭାବେ ପରିଚିତ ଓଡ଼ିଶା ବିଧାନସଭା ପରିସର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ଜଣେ ମଦ୍ୟପ ଚାଳକ ବେପରୁଆ ଭାବେ କାର୍ ଚଳାଇ ସୁରକ୍ଷା ବଳୟକୁ ଭେଦ କରି ବିଧାନସଭା ସମ୍ମୁଖରେ ଥିବା ବ୍ୟାରିକେଡ୍ରେ ସିଧାସଳଖ ଧକ୍କା ଦେଇଥିଲେ।
ପ୍ରଚଣ୍ଡ ଧକ୍କାରେ ବ୍ୟାରିକେଡ୍ ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ କାର୍ଟି ମଧ୍ୟ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ପରେ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ସୃଷ୍ଟି ହୋଇଥିଲା।ଖବର ପାଇ ଏସ୍ଟିଜି ଓ ପୁଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲେ। ଚାଳକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ସହ କାର୍ ଚଳାଇବା ସମୟରେ ସେ ମଦ୍ୟପାନ କରିଥିବା ଅଭିଯୋଗର ମଧ୍ୟ ତଦନ୍ତ କରାଯାଉଛି।
ବିଧାନସଭା ଭଳି ଅତ୍ୟନ୍ତ ସମ୍ବେଦନଶୀଳ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସ୍ଥାନରେ ଏଭଳି ଘଟଣା ଘଟିବା ପରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ଘଟଣାର ସମସ୍ତ ଦିଗକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।

