ନ୍ୟୁଜ ଡେକ୍ସ : ମହାରାଷ୍ଟ୍ରରେ ଗୁରୁବାର ମଧ୍ୟରାତ୍ରିରେ ପରପରି ଚାରିଥର ଭୂମିକମ୍ପ ଅନୁଭୂତ ହେବାରୁ ଲୋକଙ୍କ ମଧ୍ୟରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି। ଲଗାତାର ମୌସୁମୀ ବର୍ଷାରେ ପୂର୍ବରୁ ପ୍ରଭାବିତ ରାଜ୍ୟରେ ଏହି ଭୂମିକମ୍ପ ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି।
ମରଠୱାଡା ଅଞ୍ଚଳର ନାନ୍ଦେଡ଼, ହିଙ୍ଗୋଲି ଏବଂ ପରଭାନୀ ଜିଲ୍ଲାରେ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଅଧିକାରୀଙ୍କ ସୂଚନା ଅନୁସାରେ, ଭୋର ୧ଟା ୩୭ ମିନିଟ୍ରୁ ୩ଟା ୨୩ ମିନିଟ୍ ମଧ୍ୟରେ ଏହି ଭୂମିକମ୍ପଗୁଡ଼ିକ ଘଟିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୬ରୁ ୪.୬ ମଧ୍ୟରେ ରେକର୍ଡ କରାଯାଇଛି।ଭୂମିକମ୍ପର ଝଟକା ଅନୁଭବ କରିବା ପରେ ଘରେ ଶୋଇଥିବା ଲୋକଙ୍କ ନିଦ ଭାଙ୍ଗିଯାଇଥିଲା।
ଭୟଭୀତ ଲୋକମାନେ ତୁରନ୍ତ ଘରୁ ବାହାରକୁ ବାହାରି ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ଜୀବନହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ। ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

