ନ୍ୟୁଜ ଡେକ୍ସ : ରଥଯାତ୍ରା ପୂର୍ବରୁ ପୁଣିଥରେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ନୋ ଫ୍ଲାଇଁ ଜୋନ୍ ଭାବେ ଘୋଷିତ ଶ୍ରୀମନ୍ଦିର ପରିସର ଉପରେ ଏକ ଡ୍ରୋନ୍ ଦୀର୍ଘ ସମୟ ଧରି ଉଡ଼ିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଏଭଳି ଘଟଣା ଘଟିବା ପରେ ସୁରକ୍ଷା ଏଜେନ୍ସି ଏବଂ ପୋଲିସର କାର୍ଯ୍ୟପ୍ରଣାଳୀକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ୩୦ ମିନିଟ୍ ସମୟରେ ଶ୍ରୀମନ୍ଦିର ଉପରେ ଏକ ଡ୍ରୋନ୍ ଉଡ଼ୁଥିବା ଦେଖାଯାଇଥିଲା।
ଡ୍ରୋନ୍ଟି ଦୀର୍ଘ ସମୟ ଧରି ଶ୍ରୀମନ୍ଦିରର ନୀଳଚକ୍ର ଉପରେ ଉଡ଼ିବା ସହ ଭିତର ବେଢ଼ାର ବିଭିନ୍ନ ଦୃଶ୍ୟ ରେକର୍ଡ କରିଥିବା ସୂଚନା ମିଳିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସୁରକ୍ଷା କର୍ମୀମାନେ ତୁରନ୍ତ ସତର୍କ ହୋଇଥିଲେ।ଆସନ୍ତା ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାରୁ ପୁରୀ ସହରରେ ପୂର୍ବରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ହଜାର ହଜାର ପୋଲିସ କର୍ମଚାରୀ, ସୁରକ୍ଷା ବାହିନୀ ଏବଂ ଗୁଇନ୍ଦା ସଂସ୍ଥା ସତର୍କ ରହିଥିବା ବେଳେ ନୋ ଫ୍ଲାଇଁ ଜୋନ୍ରେ ଡ୍ରୋନ୍ ଉଡ଼ିବା ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଥିବା ନେଇ ପ୍ରଶ୍ନ ସୃଷ୍ଟି କରିଛି।ଉଲ୍ଲେଖଯୋଗ୍ୟ ଯେ, ଗତକାଲି ଆତଙ୍କବାଦୀ ଆକ୍ରମଣ ଭଳି ଜରୁରୀ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଶ୍ରୀମନ୍ଦିର ନିକଟରେ ପୋଲିସ ଓ ସୁରକ୍ଷା ବାହିନୀ ପକ୍ଷରୁ ଏକ ମକ୍ ଡ୍ରିଲ୍ କରାଯାଇଥିଲା। ତାହାର ପରଦିନ ହିଁ ଏଭଳି ଡ୍ରୋନ୍ ଉଡ଼ିବା ଘଟଣା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ଚର୍ଚ୍ଚା ହେଉଛି।ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରୋନ୍ ଉଡ଼ାଉଥିବା ବ୍ୟକ୍ତିଙ୍କୁ କାବୁ କରିଥିଲା।
ତାଙ୍କୁ ସିଂହଦ୍ୱାର ଥାନାକୁ ନେଇ ପଚରାଉଚରା କରାଯାଉଥିବା ବେଳେ ବ୍ୟବହୃତ ଡ୍ରୋନ୍କୁ ମଧ୍ୟ ଜବତ କରାଯାଇଛି। ତେବେ ସମ୍ପୃକ୍ତ ଯୁବକଙ୍କ ପରିଚୟ ସରକାରୀ ଭାବେ ପ୍ରକାଶ କରାଯାଇନାହିଁ ଏବଂ ସେ କେଉଁ ଉଦ୍ଦେଶ୍ୟରେ ଡ୍ରୋନ୍ ଉଡ଼ାଇଥିଲେ, ସେନେଇ ତଦନ୍ତ ଚାଲିଛି।ପୁରୀ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଶ୍ରୀମନ୍ଦିର ଏବଂ ଏହାର ସୁରକ୍ଷିତ ପରିସର ନୋ ଫ୍ଲାଇଁ ଜୋନ୍ ଅନ୍ତର୍ଗତ। ଏହି ଅଞ୍ଚଳରେ ବିନା ଅନୁମତିରେ ଡ୍ରୋନ୍ ଉଡ଼ାଇବା ଦଣ୍ଡନୀୟ ଅପରାଧ। ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପ୍ରଚଳିତ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି ପୋଲିସ ସତର୍କ କରିଛି।ରଥଯାତ୍ରା ଭଳି ବିଶ୍ୱପ୍ରସିଦ୍ଧ ଉତ୍ସବ ପୂର୍ବରୁ ଘଟିଥିବା ଏହି ଘଟଣା ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ନୂଆ ଚିନ୍ତା ସୃଷ୍ଟି କରିଥିବା ବେଳେ ଆଗାମୀ ଦିନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

