Thu. Jul 9th, 2026

ନ୍ୟୁଜ ଡେକ୍ସ : ଭୁବନେଶ୍ୱରର ନୟାପଲ୍ଲୀ ଥାନା ଅଞ୍ଚଳରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ଝିଆରୀଙ୍କୁ ଦୁଷ୍କର୍ମ ଓ ଦୀର୍ଘଦିନ ଧରି ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କ ମଉସାଙ୍କୁ ଗିରଫ କରିଛି। ଏହି ଘଟଣାରେ ମାଉସୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଆସିବା ପରେ ପୋଲିସ ତାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଛି। ଘଟଣାଟି ପ୍ରକାଶ ପାଇବା ପରେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାର ଜଣେ ନାବାଳିକା ପାଠପଢ଼ା ପାଇଁ ଭୁବନେଶ୍ୱରରେ ତାଙ୍କ ମାଉସୀଙ୍କ ଘରେ ରହୁଥିଲେ। ଏହି ସମୟରେ ମଉସା ଜୟକୃଷ୍ଣ ନାୟକ ବାରମ୍ବାର ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଦୀର୍ଘଦିନ ଧରି ଭୟ ଓ ମାନସିକ ଚାପ ମଧ୍ୟରେ ରହିବା ପରେ ସେ ଶେଷରେ ସାହସ ଦେଖାଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ।ଅଭିଯୋଗ ପାଇବା ପରେ ନୟାପଲ୍ଲୀ ପୋଲିସ ତୁରନ୍ତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୀଡ଼ିତାଙ୍କ ବୟାନ ଏବଂ ପ୍ରାଥମିକ ତଦନ୍ତରୁ ମିଳିଥିବା ତଥ୍ୟ ଆଧାରରେ ପୋଲିସ ଅଭିଯୁକ୍ତ ମଉସା ଜୟକୃଷ୍ଣ ନାୟକଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ତଦନ୍ତରେ ମାଉସୀ ଫୁଲନ୍ଧିନୀ ନାୟକଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ଆସିବା ପରେ ତାଙ୍କୁ ମଧ୍ୟ ଗିରଫ କରାଯାଇଛି।ପୋଲିସ ଉଭୟ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଇଥିବା ବେଳେ ଘଟଣାର ସମସ୍ତ ଦିଗକୁ ନେଇ ଅଧିକ ତଦନ୍ତ ଚାଲିଛି।

ତଦନ୍ତରେ ଆହୁରି କୌଣସି ତଥ୍ୟ କିମ୍ବା ପ୍ରମାଣ ସାମ୍ନାକୁ ଆସିଲେ ସେହି ଅନୁସାରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।ଏହି ଘଟଣା ପୁଣିଥରେ ନାବାଳିକାଙ୍କ ସୁରକ୍ଷା ଓ ପରିବାର ଭିତରେ ହେଉଥିବା ଅପରାଧକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛି। ପରିବାରର ବିଶ୍ୱାସ ଓ ସମ୍ପର୍କର ମର୍ଯ୍ୟାଦାକୁ ଆଘାତ କରୁଥିବା ଏଭଳି ଘଟଣା ସମାଜ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୋଲିସର ତଦନ୍ତ ଜାରି ରହିଥିବା ବେଳେ ମାମଲାର ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ଶେଷ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *