Thu. Jul 9th, 2026

ନ୍ୟୁଜ ଡେକ୍ସ : ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍‌ରେ ଶ୍ରମକାର୍ଡ ଥିବା ହିତାଧିକାରୀଙ୍କ ମୃତ୍ୟୁକାଳୀନ ସହାୟତା ରାଶି ହଡ଼ପ କରିବା ପାଇଁ ବଡ଼ଧରଣର ଜାଲିଆତି ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ୩ ଲକ୍ଷ ଟଙ୍କା ପାଇବା ଲୋଭରେ ମୃତ ବ୍ୟକ୍ତିଙ୍କ ନାଁରେ ନକଲି ଶ୍ରମକାର୍ଡ ଓ ଜାଲି ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତ କରାଯାଉଥିବା ଜଣାପଡ଼ିଛି। ଏହି କାର୍ଯ୍ୟ ପଛରେ ଏକ ସଂଗଠିତ ରାକେଟ୍ ସକ୍ରିୟ ଥିବା ସହ କିଛି ଆଶାକର୍ମୀ, ଏଏନଏମ୍ ଓ ବ୍ୟାଙ୍କ କର୍ମଚାରୀଙ୍କ ସମ୍ପୃକ୍ତି ନେଇ ମଧ୍ୟ ଅଭିଯୋଗ ଉଠିଛି।

ଭୋଗରାଇ ବ୍ଲକ୍‌ର କୀର୍ତ୍ତନିଆ ଜାଳପାହି ଗାଁର ମିନତି ସେନାପତିଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ସରକାରୀ ସହାୟତା ମିଳିବ ବୋଲି ପ୍ରଲୋଭନ ଦେଇ ଦଲାଲ ହରିପଦ ସାହୁ ଏହି ଯୋଜନା କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଆଶାକର୍ମୀଙ୍କ ସହଯୋଗରେ ମିନତିଙ୍କ ପ୍ରକୃତ ମୃତ୍ୟୁ ତାରିଖକୁ ପରିବର୍ତ୍ତନ କରି ତାଙ୍କ ନାଁରେ ଶ୍ରମକାର୍ଡ ପ୍ରସ୍ତୁତ କରାଯାଇ ୩ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ରାଶି ହଡ଼ପ କରିବାକୁ ଉଦ୍ୟମ କରାଯାଇଥିଲା।ସୂଚନା ଅନୁଯାୟୀ, ମିନତି ସେନାପତିଙ୍କର ୨୦୨୫ ଅଗଷ୍ଟ ୪ ତାରିଖରେ କଟକର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା।

କିନ୍ତୁ ଅଭିଯୋଗ ଅନୁସାରେ ତାଙ୍କ ମୃତ୍ୟୁ ତାରିଖକୁ ଅଗଷ୍ଟ ୧୧ ଭାବେ ଦର୍ଶାଇ ଜଳେଶ୍ୱରପୁର ହସ୍ପିଟାଲରୁ ନୂଆ ମୃତ୍ୟୁ ପ୍ରମାଣପତ୍ର ଜାରି କରାଯାଇଥିଲା। ଏହି ମଧ୍ୟରେ ଅଗଷ୍ଟ ୭ ତାରିଖରେ ମୃତ ମହିଳାଙ୍କ ନାଁରେ ଶ୍ରମକାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଥିଲା।ତେବେ ସହାୟତା ରାଶି ହଡ଼ପ କରିବା ଉଦ୍ୟମ ବେଳେ ଘଟଣା ପଦାକୁ ଆସିଥିଲା। ଏହା ଜାଣିବା ପରେ ମିନତିଙ୍କ ସ୍ୱାମୀ ସୁଧୀର ସେନାପତି ଭୋଗରାଇ ଥାନାରେ ହରିପଦ ସାହୁ, ମୃତ୍ୟୁଞ୍ଜୟ ପରିଡ଼ା ଓ ଆଶାକର୍ମୀ ପଦ୍ମାବତୀ ଦାସଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ସମ୍ପୂର୍ଣ୍ଣ ଜାଲିଆତି ଚକ୍ରର ପର୍ଦ୍ଦାଫାଶ ପାଇଁ ଖୋଳତାଡ଼ ଜାରି ରହିଛି।

Leave a Reply

Your email address will not be published. Required fields are marked *