Thu. Jul 9th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାର ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନର ପଥ ପ୍ରଶସ୍ତ ହେଉଛି। ଦୀର୍ଘଦିନ ଧରି ବିକାଶ ଅପେକ୍ଷାରେ ଥିବା ମାଲକାନଗିରି ବିମାନବନ୍ଦରକୁ ନେଇ ଆସିଛି ଖୁସି ଖବର। ଆଗାମୀ ଦିନରେ ଏହି ବିମାନବନ୍ଦର କେବଳ ଛୋଟ ବିମାନ ଚଳାଚଳରେ ସୀମିତ ରହିବ ନାହିଁ, ବରଂ ୧୨୦ ସିଟ୍ ବିଶିଷ୍ଟ ଡବଲ୍ ଇଞ୍ଜିନ ବଡ଼ ବିମାନ ମଧ୍ୟ ଏଠାରୁ ଉଡ଼ାଣ ଭରିବ। ଏହାକୁ ନେଇ ମାଲକାନଗିରି ସହ ସମଗ୍ର ଦକ୍ଷିଣ ଓଡ଼ିଶାରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ବିମାନବନ୍ଦରର ରନ୍‌ୱେକୁ ବଡ଼ ବିମାନ ଅବତରଣ ଓ ଉଡ଼ାଣ ପାଇଁ ଉପଯୋଗୀ କରିବା ଲକ୍ଷ୍ୟରେ ସମ୍ପ୍ରସାରଣ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାର ଡିଜାଇନ୍ ପ୍ରସ୍ତୁତ ହୋଇସାରିଥିବା ବେଳେ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଅନୁମୋଦନ ମିଳିବା ପରେ କାର୍ଯ୍ୟ ଆରମ୍ଭ ହେବ ଏବଂ ପର୍ଯ୍ୟାୟକ୍ରମେ ରନ୍‌ୱେର ସମ୍ପ୍ରସାରଣ ସହ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ।ବର୍ତ୍ତମାନ ମାଲକାନଗିରି ବିମାନବନ୍ଦରରେ କେବଳ ଛୋଟ ବିମାନ ଚଳାଚଳ ସମ୍ଭବ ହେଉଥିବା ବେଳେ, ରନ୍‌ୱେ ସମ୍ପ୍ରସାରଣ ପରେ ବଡ଼ ଯାତ୍ରୀବାହୀ ବିମାନ ଚଳାଚଳର ସୁଯୋଗ ସୃଷ୍ଟି ହେବ। ଏହା ଫଳରେ ମାଲକାନଗିରି ଆଞ୍ଚଳିକ ବିମାନ ଚଳାଚଳର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହେବ ବୋଲି ଆଶା କରାଯାଉଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଦୂରଦୁରାନ୍ତ ଅଞ୍ଚଳର ଲୋକମାନେ ଏହାଦ୍ୱାରା ସିଧାସଳଖ ବିମାନ ସେବାର ସୁବିଧା ପାଇପାରିବେ।

ମାଲକାନଗିରି ବିମାନବନ୍ଦରକୁ କାର୍ଯ୍ୟକ୍ଷମ କରିବା ନେଇ ପୂର୍ବରୁ ଏକାଧିକ ଥର ସମୟସୀମା ଘୋଷଣା କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ କାମ ବିଳମ୍ବ ହୋଇଥିଲା। ବାରମ୍ବାର ଡେଡ୍‌ଲାଇନ୍ ବଦଳୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନିରାଶା ଦେଖାଦେଇଥିଲା। ତେବେ ବର୍ତ୍ତମାନ ରନ୍‌ୱେ ସମ୍ପ୍ରସାରଣ ଓ ବଡ଼ ବିମାନ ଚଳାଚଳ ନେଇ ଆସିଥିବା ନୂଆ ସୂଚନା ଜିଲ୍ଲାବାସୀଙ୍କ ମନରେ ପୁଣିଥରେ ଆଶାର ସଞ୍ଚାର କରିଛି।ବିଶେଷଜ୍ଞମାନଙ୍କ ମତରେ, ମାଲକାନଗିରି ବିମାନବନ୍ଦରର ଉନ୍ନତି ହେଲେ କେବଳ ଯାତାୟାତ ସୁବିଧା ବଢ଼ିବ ନୁହେଁ, ବରଂ ବାଣିଜ୍ୟ, ପର୍ଯ୍ୟଟନ, ଶିଳ୍ପ, ସ୍ୱାସ୍ଥ୍ୟସେବା ଓ ନିବେଶ କ୍ଷେତ୍ରରେ ମଧ୍ୟ ନୂଆ ସମ୍ଭାବନା ସୃଷ୍ଟି ହେବ।

ଏହା ସହିତ ଜିଲ୍ଲାର ଆର୍ଥିକ ବିକାଶ ଓ ରୋଜଗାର ସୁଯୋଗ ବୃଦ୍ଧିରେ ମଧ୍ୟ ଏହି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି।ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ରନ୍‌ୱେ ସମ୍ପ୍ରସାରଣ କାମ ଆରମ୍ଭ ହେବା ସହ ମାଲକାନଗିରି ବିମାନବନ୍ଦର ଓଡ଼ିଶାର ଆଞ୍ଚଳିକ ବିମାନ ଚଳାଚଳ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଦୀର୍ଘଦିନର ଅପେକ୍ଷା ପରେ ଏହି ପ୍ରକଳ୍ପ ବାସ୍ତବ ରୂପ ନେଲେ ମାଲକାନଗିରି ଜିଲ୍ଲାର ବିକାଶ ଯାତ୍ରାରେ ଏହା ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

Leave a Reply

Your email address will not be published. Required fields are marked *