ନ୍ୟୁଜ ଡେକ୍ସ : ପିଏମ୍-ସୂର୍ଯ୍ୟ ଘର ଯୋଜନାକୁ ଓଡ଼ିଶା ସରକାରଙ୍କ ବିଭିନ୍ନ ଗୃହ ନିର୍ମାଣ ଯୋଜନା, ବିଶେଷକରି ପିଏମ୍-ଆବାସ ଯୋଜନା ସହ ସଂଯୋଜନ କରାଯିବ। ଶକ୍ତି କ୍ଷେତ୍ରର ସୁଧାର, ସୁରକ୍ଷା ଏବଂ କେନ୍ଦ୍ର-ରାଜ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଆୟୋଜିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ସୂଚନା ଦେଇଛନ୍ତି।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପିଏମ୍-ଆବାସ ଏବଂ ଅନ୍ୟାନ୍ୟ ଗୃହ ଯୋଜନାର ପ୍ରତ୍ୟେକ ହିତାଧିକାରୀଙ୍କୁ ସୌର ଶକ୍ତିର ସୁବିଧା ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ। ଏହି ପଦକ୍ଷେପ ଦ୍ୱାରା ୨୪ ଘଣ୍ଟିଆ ପରିଷ୍କାର ଓ ସୁଲଭ ବିଦ୍ୟୁତ ସେବା ମିଳିବା ସହ ବିଜୁଳି ବିଲ୍ର ଭାର ମଧ୍ୟ କମିବ। ତେବେ ଏହି ଯୋଜନାର ସୁବିଧା ଗ୍ରହଣ କରିବା ହିତାଧିକାରୀଙ୍କ ପାଇଁ ଇଚ୍ଛାଧୀନ ରହିବ।ଯୋଜନା ଅନୁଯାୟୀ ସହରାଞ୍ଚଳରେ ୧ କିଲୋୱାଟ୍ କ୍ଷମତା ବିଶିଷ୍ଟ ଛାତ ଉପର ସୌର ପ୍ୟାନେଲ ସ୍ଥାପନ ପାଇଁ କେନ୍ଦ୍ର ସରକାର ୩୦ ହଜାର ଟଙ୍କା ଏବଂ ରାଜ୍ୟ ସରକାର ୨୫ ହଜାର ଟଙ୍କା ସବସିଡି ଦେବେ। ଫଳରେ ହିତାଧିକାରୀଙ୍କୁ ମାତ୍ର ୧,୮୭୫ ଟଙ୍କା ବ୍ୟୟରେ ଏହି ସୁବିଧା ମିଳିପାରିବ।ବୈଠକରେ ବିଦ୍ୟୁତ ସୁରକ୍ଷାକୁ ମଧ୍ୟ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ରାଜ୍ୟର ଚାରିଟି ବିଦ୍ୟୁତ ବିତରଣ କମ୍ପାନୀ ଅଧୀନରେ ୩୭୦୮ କୋଟି ଟଙ୍କା ବ୍ୟୟରେ ଭୂତଳ ବିଦ୍ୟୁତ କେବୁଲ ବିଛାଯିବ।
ଏହାଦ୍ୱାରା ବାତ୍ୟା ଓ କାଳବୈଶାଖୀ ସମୟରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହେବାର ସମ୍ଭାବନା କମିବ।ଏହାସହ ଖୋଲା ଓ ଝୁଲୁଥିବା ବିଦ୍ୟୁତ ତାରର ସ୍ଥାନାନ୍ତର, ଇନସୁଲେଟେଡ୍ କଣ୍ଡକ୍ଟର ବ୍ୟବହାର, ବିତରଣ ସବ୍ଷ୍ଟେସନରେ ଫେନ୍ସିଂ, ପାୱାର ସବ୍ଷ୍ଟେସନର ବାଉଣ୍ଡ୍ରି ୱାଲ୍ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଶକ୍ତି, ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗର ସମନ୍ୱୟରେ ଏହି ସମସ୍ତ କାର୍ଯ୍ୟ ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ କରାଯିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବିଜୁଳି ବିଲ୍ରୁ ଆଂଶିକ ମୁକ୍ତି ସହ ଏକ ସୁରକ୍ଷିତ ଓ ସବୁଜ ଓଡ଼ିଶା ଗଠନରେ ସହାୟକ ହେବ ବୋଲି ଆଶା କରାଯାଉଛି।

