ନ୍ୟୁଜ ଡେକ୍ସ : ଚଳିତ ମୌସୁମୀ ଋତୁର ପ୍ରଥମ ବନ୍ୟାଜଳ ଛାଡ଼ିବା ପାଇଁ ସମ୍ବଲପୁର ଜିଲ୍ଲାର ହୀରାକୁଦ ଡ୍ୟାମର ୪ଟି ଗେଟ୍ ଗୁରୁବାର ସକାଳ ୧୧ଟାରେ ଖୋଲାଯିବ। ମହାନଦୀ ଅବବାହିକାର ଉପରମୁଣ୍ଡରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜଳପ୍ରବାହ ବଢ଼ିଥିବାରୁ ଡ୍ୟାମର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହି ପଦକ୍ଷେପ ନିଆଯାଇଛି।
ବୁଧବାର ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୧.୨୩ ଫୁଟ ରେକର୍ଡ କରାଯାଇଥିଲା। ଡ୍ୟାମର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବାବେଳେ ପ୍ରାୟ ୨.୬୨ ଲକ୍ଷ କ୍ୟୁସେକ୍ ଜଳ ଡ୍ୟାମକୁ ପ୍ରବେଶ କରୁଥିଲା।ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲା ପ୍ରଶାସନ ହୀରାକୁଦ ମୁଖ୍ୟ ଡ୍ୟାମ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିଛି।
ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ପୂର୍ବ ଅନୁମତି ବିନା ଡ୍ରୋନ୍, ମାଇକ୍ରୋଲାଇଟ୍ ବିମାନ ସମେତ ସମସ୍ତ ପ୍ରକାରର ମାନବଚାଳିତ ଓ ମାନବହୀନ ଉଡ଼ାଣ ଯାନ ଚଳାଚଳ ଉପରେ କଡ଼ା କଟକଣା ଜାରି କରାଯାଇଛି।ସେହିପରି ଜଳ ନିଷ୍କାସନ ସମୟରେ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ନିର୍ଦ୍ଦେଶାବଳୀ ପାଳନ କରିବାକୁ ଅନୁରୋଧ କରାଯାଇଛି।

