Thu. Jul 9th, 2026

ନ୍ୟୁଜ ଡେକ୍ସ : ଦେଶର ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଆଜି ଏକ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର, ପ୍ରଶାସନ ଓ କମିସନରେଟ୍ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ମତ୍ସ୍ୟ କ୍ଷେତ୍ରର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ‘ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ’ର ଶୁଭାରମ୍ଭ କରାଯିବ। ଏହା ସହିତ ମତ୍ସ୍ୟଜୀବୀମାନଙ୍କୁ ପ୍ରାଧିକରଣ ପତ୍ର ମଧ୍ୟ ବଣ୍ଟନ କରାଯିବ।

ସୂଚନା ଅନୁଯାୟୀ, ଦିନ ପ୍ରାୟ ୧୧ଟା ସମୟରେ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ। ଏହି ଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ବହୁ ସଂଖ୍ୟକ ମତ୍ସ୍ୟଜୀବୀ ଯୋଗଦେବେ ବୋଲି ସୂଚନା ମିଳିଛି।ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ ରାଜ୍ୟର ମତ୍ସ୍ୟ କ୍ଷେତ୍ରକୁ ଅଧିକ ସଶକ୍ତ କରିବା ସହ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବ ବୋଲି ଆଶା କରାଯାଉଛି। ଏହି ମିଶନ ମାଧ୍ୟମରେ ଆଧୁନିକ ମାଛଧରା ବ୍ୟବସ୍ଥା, ଉନ୍ନତ ଭିତ୍ତିଭୂମି ଏବଂ ନୂତନ ସୁଯୋଗ ସୃଷ୍ଟି ହେବା ସହ ମତ୍ସ୍ୟଜୀବୀମାନେ ଅଧିକ ଲାଭ ପାଇପାରିବେ ବୋଲି କୁହାଯାଉଛି।

ଉପରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ ସର୍ବୋଚ୍ଚ ସ୍ତରକୁ ନିଆଯାଇଛି। ଦେଶର ଦ୍ୱିତୀୟ ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଥିବା ଭିଭିଆଇପିଙ୍କ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟକ ପୁଲିସ କର୍ମଚାରୀ, ବରିଷ୍ଠ ଅଧିକାରୀ ଏବଂ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ମୁତୟନ କରାଯାଇଛନ୍ତି।ଉପରାଷ୍ଟ୍ରପତିଙ୍କ ଯାତ୍ରାପଥ ଏବଂ କାର୍ଯ୍ୟକ୍ରମ ସ୍ଥଳରେ ସୁରକ୍ଷା ଯାଞ୍ଚକୁ ଆହୁରି କଡ଼ାକଡ଼ି କରାଯାଇଛି। ସେହିପରି ସାଧାରଣ ଲୋକଙ୍କ ଯାତାୟାତକୁ ସୁରୁଖୁରୁରେ ପରିଚାଳନା କରିବା ଓ ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ଛକ ଓ ରାସ୍ତାରେ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି।

କେତେକ ରାସ୍ତାରେ ଯାନବାହନ ଚଳାଚଳରେ ସାମୟିକ ପରିବର୍ତ୍ତନ କରାଯାଇଥିବାରୁ ସାଧାରଣ ଲୋକଙ୍କୁ ବିକଳ୍ପ ରାସ୍ତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।ପ୍ରଶାସନ ପକ୍ଷରୁ ରାଜଧାନୀବାସୀଙ୍କୁ ଟ୍ରାଫିକ୍ ନିୟମ ମାନିବା ସହ ପୁଲିସକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ରାଜ୍ୟର ମତ୍ସ୍ୟ କ୍ଷେତ୍ରର ବିକାଶ ଏବଂ ମତ୍ସ୍ୟଜୀବୀଙ୍କ କଲ୍ୟାଣ ପାଇଁ ଏକ ନୂଆ ଦିଗ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ ପାଉଛି। ସେହିପରି ଓଡ଼ିଶାରେ ଭିତ୍ତିଭୂମି ଉନ୍ନୟନ ଏବଂ ସାମୁଦ୍ରିକ ଅର୍ଥନୀତିକୁ ସଶକ୍ତ କରିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ମଧ୍ୟ ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *