ନ୍ୟୁଜ ଡେକ୍ସ: ଜିରବାମ ଜିଲ୍ଲାରେ ୬ ଜଣଙ୍କୁ ଅପହରଣ କରିବା ଏବଂ ପରେ ୩ ଜଣଙ୍କ ମୃତଦେହ ମିଳିବା ପରେ ଇମ୍ଫାଲ ଅଞ୍ଚଳରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଲୋକେ । ମୁଖ୍ୟମନ୍ତ୍ରୀଙ୍କ ସମେତ ୩ ମନ୍ତ୍ରୀ ଏବଂ ୬ ବିଧାୟକଙ୍କ ବାସଭବନ ଉପରେ ଆକ୍ରମଣ କରିଛନ୍ତି ଉତ୍ତ୍ୟକ୍ତ ଲୋକେ ।
ସୂଚନା ମୁତାବକ, ବିକ୍ଷୋଭକାରୀମାନେ ଯେଉଁ ତିନି ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିଛନ୍ତି ସେଥିରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଜ୍ୱାଇଁଙ୍କ ଘର ବି ସାମିଲ ଅଛି। ବିକ୍ଷୋଭକାରୀମାନେ ତାଙ୍କ ଘର ଜାଳି ଦେଇଛନ୍ତି। ଏହାର ଜବାବରେ ସୁରକ୍ଷା ବଳ ପ୍ରଦର୍ଶନକାରୀଙ୍କୁ ଅଟକାଇବାକୁ ପାଇଁ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ସେହିପରି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଘର ଉପରକୁ ମଧ୍ୟ ଆକ୍ରମଣ କରିବାକୁ ବିକ୍ଷୋଭାକରୀମାନେ ଉଦ୍ୟମ କରିଥିଲେ।
କିନ୍ତୁ ସେମାନଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇ ଦେଇଛନ୍ତି। ଯେଉଁ ମନ୍ତ୍ରୀଙ୍କ ଘର ଉପରକୁ ବିକ୍ଷୋଭକାରୀମାନେ ଟାର୍ଗେଟ୍ କରିଛନ୍ତି ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ସପାମ ରଂଜନ, ମନ୍ତ୍ରୀ ଏଲ ସୁସିନ୍ଦ୍ରୋ ସିଂହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଓ୍ୱାଇ ଖେମଚାନ୍ଦ ଘର ସାମିଲ ଅଛି। ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଇମ୍ଫାଲ ପୂର୍ବ ଏବଂ ପଶ୍ଚିମ, ବିଷ୍ଣୁପୁର, ଥୋବାଲ ଏବଂ କଚିଙ୍ଗ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିଛନ୍ତି।