Mon. Dec 23rd, 2024

ନ୍ୟୁଜ ଡେକ୍ସ: ସରିଲା ଐତିହାସିକ କଟକ ବାଲିଯାତ୍ରା । ଏହି ମେଳାରେ ଚଳିତ ବର୍ଷ ପ୍ରାୟ ୫୦ ଲକ୍ଷରୁ ଅଧିକ ଜନସମାଗମ ହୋଇଥିବା ପ୍ରାଥମିକ ଆକଳନ କରାଯାଉଛି । ଅଢ଼େଇ ହଜାର ଷ୍ଟଲ୍ ବ୍ୟବସାୟୀ ଓ ହଜାରେରୁ ଅଧିକ ଉଠା ଦୋକାନୀ, ପ୍ରତିଦିନ ଲକ୍ଷଲକ୍ଷ ଲୋକଙ୍କ ଗହଳି ଚହଳି ଭିତରେ ଜମିଥିଲା ୯ ଦିନର ଯାତ୍ରା । ଏଥର କଟକ ବାଲିଯାତ୍ରାରେ ପ୍ରାୟ ୨ ଶହ କୋଟିର ବେପାର ହୋଇଥିବା ଅନୁମାନ କରାଯାଉଛି ।

ପାଖାପାଖି ୧୩ ଲକ୍ଷରୁ ଅଧିକ ଜନ ସମାଗମ ହୋଇଥିବା ବେଳେ ପୋଲିସଙ୍କ ନିୟନ୍ତ୍ରଣ ବାହାରେ ହୋଇପଡିଥିଲା ପରିସ୍ଥିତି । ଫଳରେ ଯାତ୍ରା ପଡ଼ିଆରେ ଲକ୍ଷାଧିକ ଲୋକ ଫସି ରହିଥିଲେ । ଏପରି ସ୍ଥିତି ହୋଇଥିଲା ଯେ, ଯାତ୍ରାକୁ ଆସୁଥିବା ଗାଡ଼ିଗୁଡ଼ିକୁ ବିଭିନ୍ନ ଛକମାନଙ୍କରେ ବହୁ ସମୟ ପର୍ଯ୍ୟନ୍ତ ଅଟକାଇ ରଖିବାକୁ ବାଧ୍ୟ ହୋଇଥିଲା କିମଶନରେଟ ପୋଲିସ୍ । ୮ଟା ପରେ ଆଉ ଯାତ୍ରା ପଡିଆକୁ ନଆସିବାକୁ ପୋଲିସ୍ ପକ୍ଷରୁ ସୂଚାଇ ଦିଆଯାଇଥିଲା । ତଥାପି ସଂନ୍ଧ୍ୟା ୫ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଭିଡ଼ ଲାଗି ରହିଥିଲା। ଚଳିତ ବର୍ଷ ଶେଷ ଦିନରେ ସନ୍ଧ୍ୟା ସୁଦ୍ଧା ବାଲିଯାତ୍ରା ପାଇଁ ବ୍ୟବସ୍ଥା ହୋଇଥିବା ମୋଟ ୧୯ଟି ପାର୍କିଂ ସ୍ଥାନରେ ଗାଡ଼ି ଭର୍ତ୍ତି ହୋଯାଇଥିଲା। ପାର୍କିଂ ସ୍ଥାନରେ ପାଖାପାଖି ୭୦ ହଜାର ଦୁଇଚକିଆ ଗାଡ଼ି ଓ ୧୦ ହଜାର ଚାରିଚକିଆ ଗାଡ଼ି ପାର୍କିଂ ହୋଇଥିଲା ।

ପାର୍କିଂ ପାଇଁ ଆଉ ସ୍ଥାନ ନଥିବାରୁ ବାଧ୍ୟ ହୋଇ ପୋଲିସ୍ ରିଙ୍ଗବନ୍ଧ ଠାରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ଉପରେ କଟକଣା ଲଗାଯାଇଥିଲା। ଶନିବାର ଶେଷ ବାଲିଯାତ୍ରା ସହିତ ପ୍ରଥମାଷ୍ଟମୀ ପାଇଁ ସରକାରୀ ଛୁଟି ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା । ଏମିତିକି ପଡ଼ିଆରେ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ୍ ଫୋର୍ସ ନିଜର କାର୍ଯ୍ୟ ଛାଡ଼ି ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା। ରାତି ୧୨ଟା ବେଳକୁ ପରିସ୍ଥିତି ସ୍ବାଭାବିକ ହୋଇଥିବା ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *