ନ୍ୟୁଜ ଡେକ୍ସ : ସ୍ମାର୍ଟ ଯୁଗରେ ଜନସାଧାରଣଙ୍କୁ ତ୍ବରିତ ସରକାରୀ ସେବା ଯୋଗାଇବାକୁ ରାଜ୍ୟ ସରକାର ଓଡ଼ିଶା ଜନସେବା ଅଧିକାର ଆଇନ ଅନୁଯାୟୀ ବଡ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ୨୦୧୩ ମସିହାରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥାରେ ବର୍ତ୍ତମାନ ୩୨ଟି ବିଭାଗର ୪୪୫ଟି ସେବାକୁ ଅନଲାଇନ ସହ ଯୋଡ଼ାଯାଇଛି, କିନ୍ତୁ ଅଧିକାଂଶ ସେବା ଲୋକଙ୍କ ପହଞ୍ଚରେ ନଥିବାରୁ ସରକାର ଚିନ୍ତିତ।ଏହି ପରିସ୍ଥିତିକୁ ସୁଧାରିବା ପାଇଁ ସମସ୍ତ ଅନଲାଇନ ସେବାରେ ଅଟୋ-ଅପିଲ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।
ନିର୍ଦ୍ଧାରିତ ସମୟ ଭିତରେ କୌଣସି ସେବା ମିଳିନାହିଁ ହେଲେ ସେଥିରେ ସ୍ବୟଂକୃତ ଭାବେ ଆବେଦନ ହେବ ଏବଂ ସମ୍ପୃକ୍ତ ବିଭାଗକୁ ପହଞ୍ଚିବ। ଏହା ଦ୍ୱାରା ଆବେଦକଙ୍କୁ ପୁଣିଥରେ ଦୌଡ଼ିବାକୁ ପଡ଼ିବ ନାହିଁ।ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ବିଭାଗକୁ ଚଳିତ ମାସ ୨୪ ତାରିଖ ସୁଦ୍ଧା ପ୍ରକ୍ରିୟା ଶେଷ କରିବାକୁ ଓ ମେ’ ୧୫ ମଧ୍ୟରେ ସମସ୍ତ ଅଫଲାଇନ ସେବାକୁ ଅନଲାଇନ ସହ ଯୋଡ଼ିବାକୁ ନିର୍ଦେଶ ଦେଇଛନ୍ତି।
ତଥାପି କିଛି ବିଭାଗର ଅବହେଳା ଦେଖାଯାଉଥିବାରୁ ପୁନର୍ବାର ସଚେତନ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଶୀଘ୍ର ସମୀକ୍ଷା ବୈଠକ ଡକାଯିବ ବୋଲି ସୂଚନା ମିଳିଛି। ସରକାରଙ୍କ ଏହି ପଦକ୍ଷେପ ଫଳରେ ସେବା ପ୍ରଦାନରେ ପାରଦର୍ଶିତା, ଦ୍ରୁତତା ଓ ଉତ୍ତରଦାୟିତ୍ବ ବଢ଼ିବ ବୋଲି ଆଶା କରାଯାଉଛି।

