Mon. Dec 23rd, 2024

ନ୍ୟୁଜ ଡେକ୍ସ: ଆଳୁ ଦେବେନି ଦିଦି । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି । ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ । ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ କିଛି ଗାଡ଼ି ଫେରିଯାଇଛି । ଜାନୁଆରୀ-ଫେବ୍ରୁଆରୀରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଓ ପିଆଜ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇଛନ୍ତି ।

ବୁଧବାର ରାତିରୁ ପଶ୍ଚିମ ମେଦିନୀପୁର ଜିଲ୍ଲାର ସବୁ ନାକା ଯାଞ୍ଚ କରାଯାଉଥିବାବେଳେ ଶତାଧିକ ଆଳୁ ଭର୍ତ୍ତି ଟ୍ରକ୍ ବେଲଦା, ଦାନ୍ତୁନ, ସୋନାକୋଣିଆ ନାକାରେ ଅଟକି ରହିଛି। ଯାହାର ସିଧା ପ୍ରଭାବ ପଡ଼ିଛି, ଆମ ରାଜ୍ୟର ହାଟ ବଜାରରେ। ରାଜ୍ୟର ବୃହତ ପରିବା ମଣ୍ଡି କୁହାଯାଉଥିବା କଟକ ଛତ୍ରବଜାରରେ ଦରବୃଦ୍ଧିର ଆଶଙ୍କାରେ ଆଳୁ ଦୋକାନ ଆଗରେ ଆଜି ଜମିଥିଲା ପ୍ରବଳ ଭିଡ଼। କାରଣ ଦିନକ ଭିତରେ ୮ ଟଙ୍କା ବଢ଼ି କିଲୋ ୩୫ରେ ପହଞ୍ଚିଲାଣି ଆଳୁ।ସୂଚନା ଅନୁସାରେ ବୁଧବାର ପଶ୍ଚିମବଙ୍ଗର ସଚିବାଳୟ-ନବାନ୍ନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଳୁ ସହ ପିଆଜର ଦର ବୃଦ୍ଧି ଉପରେ ଲଗାମ୍ କସିବାକୁ ପ୍ରଶାସନିକ ଅଧିକାରୀଙ୍କୁ ଦେଇଥିଲେ କଡ଼ା ଚେତାବନୀ। କହିଥିଲେ, ପ୍ରଥମେ ଆମ ଆବଶ୍ୟକତା ପୂରଣ ହେଉ, ତା’ପରେ ବ୍ୟବସାୟୀ ବିକ୍ରି କରନ୍ତୁ, କୌଣସି ଆପତ୍ତି ନାହିଁ। ସେପଟେ ଆଳୁ ଯୋଗାଣ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଏଭଳି ଆଭିମୁଖ୍ୟ ପରେ ବ୍ୟବସାୟୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଦାବି କରିଛି। ରାଜ୍ୟରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର ।

ବୁଧବାର ମମତା ବାନାର୍ଜୀ ପ୍ରଥମେ ନିଜ ରାଜ୍ୟର ଆବଶ୍ୟକତା ପୂରଣ କର, ପରେ ବ୍ୟବସାୟୀ ବିକ୍ରି କରନ୍ତୁ ବୋଲି କହିଥିଲେ । ପଶ୍ଚିମବଙ୍ଗରେ ସାଧାରଣତଃ ଜାନୁଆରୀ ଶେଷ କିମ୍ବା ଫେବ୍ରୁଆରୀ ବେଳକୁ ନୂଆ ଆଳୁ ଅମଳ ହୋଇଥାଏ । ଅର୍ଥାତ ୨ରୁ ୩ମାସ ଆଳୁ ସଂକଟ ଭୋଗିପାରେ ଓଡିଶା। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ଆଳୁ ଆମଦାନୀ କରିପାରନ୍ତି । ତେବେ ଅଗଷ୍ଟ ମାସରେ ବି ସମାନ ସ୍ଥିତି ବେଳେ ୟୁପି, ପଞ୍ଜାବରୁ ଆଳୁ ଆଣିବା କଥା କହିଥିଲେ ଯୋଗାଣ ମନ୍ତ୍ରୀ । ଉତ୍ତରପ୍ରଦେଶରୁ ଟ୍ରେନରେ ଆଳୁ ଆସିବା କଥା ବି କହିଥିଲେ, ହେଲେ ସ୍ଥିତି ବଦଳିନଥିଲା।

Leave a Reply

Your email address will not be published. Required fields are marked *