ନ୍ୟୁଜ ଡେକ୍ସ: ଫିଲ୍ମ ‘ପୁଷ୍ପା ଓ୍ଵାନ୍’ ଓ ‘ପୁଷ୍ପା’ଟୁର କ୍ରେଜି ଏବେ ଚାରିଆଡେ। ଏହି ଫିଲ୍ମ ମାୟାରେ ବାୟା ଯୁବପିଢ଼ି। ସୋଶାଲ ମିଡିଆରେ ଚହଳ ସୃଷ୍ଟି କରିଛି ଏହି ଫିଲ୍ମ। ଅଲ୍ଲୁ ଅର୍ଜୁନଙ୍କ ସ୍ପେଶାଲ ଡାଏଲଗ୍ ‘ମେଁ ଝୁକେଗା ନହିଁ’ ବେଶ୍ ଲୋକପ୍ରିୟ ହେବାରେ ଲାଗିଛି। ଏହି ସମାନ ରଙ୍ଗ ଏବେ ଦିଲ୍ଲୀ ରାଜନୀତିରେ ମଧ୍ୟ ଚଢ଼ୁଥିବା ଦେଖିବାକୁ ମିଳିଛି।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପି ଓ ଶାସକ ଆମ୍ ଆଦମୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପା ଷ୍ଟାଇଲ୍ର ପୋଷ୍ଟର ଓ୍ୱାର୍। ସୂଚନା ଅନୁଯାୟୀ, ବିଜେପି ଶନିବାର ଏକ ପୋଷ୍ଟର ଜାରିରେ ଆପ୍ ସରକାରର କଥିତ ଘୋଟାଲା ବିଷୟରେ କହିଛି। ପୋଷ୍ଟରରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍ର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିଓ୍ବାଲଙ୍କ ଫଟୋ ଲଗାଯାଇଛି।
ଏହାର କ୍ୟାପ୍ସନରେ କେଜରିଓ୍ବାଲଙ୍କ ଘୋଟାଲର ବୁଢ଼ିଆଣୀ ଜାଲ ସହ ମଦ ଦୁର୍ନୀତି, ମୋହଲ୍ଲା କ୍ଲିନିକ୍, ସିକ୍ୟୁରିଟି, ରାସନ, ପାନିକ୍ ବଟନ, ଶୀଶମହଲ, ଔଷଧ, ଦିଲ୍ଲୀ ଜଳ ବୋର୍ଡ, କ୍ଲାସରୁମ ଏବଂ ସିସିଟିଭି ଘୋଟାଲାକୁ ଦର୍ଶାଯାଇଛି।ଆଉ ଏହାର ଜବାବରେ ଆପ୍ ମଧ୍ୟ ପୋଷ୍ଟରରେ ଦିଲ୍ଲୀ ଆଇନ ବ୍ୟବସ୍ଥାକୁ ନେଇ ବିଜେପିକୁ ଘେରିଛି। ଆପ୍ ଏକ ପୋଷ୍ଟରେ ଅରବିନ୍ଦ କେଜରିଓ୍ବାଲଙ୍କ ହାତରେ ଝାଡ଼ୁ ଦେଖାଇ ପୁଷ୍ପା ଷ୍ଟାଇଲରେ ‘ପୁଣି ଆସୁଛି କେଜରିଓ୍ବାଲ’ ଲେଖିବା ସହ ବିଜେପି ଉପରେ ପାଲଟା ଆକ୍ରମଣ କରିଛି। ଏହି ଫଟୋର କ୍ୟାପ୍ସନରେ ‘କେଜରିଓ୍ବାଲ ଝୁକେଗା ନେହିଁ’, ‘କେଜରିଓ୍ବାଲ ୪ ଟର୍ମ କମିଙ୍ଗ ସୁନ୍’ ମଧ୍ୟ ଲେଖାଯାଇଛି।