ନ୍ୟୁଜ ଡେକ୍ସ: ସ୍କୁଲକୁ ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଜାତୀୟ ରାଜଧାନୀ ଦିଲ୍ଲୀର ଏକ ସ୍କୁଲକୁ ବୋମା ବିସ୍ଫୋରଣ ଧମକ ମିଳିଛି । ଇମେଲ ଜରିଆରେ ଏହି ଧମକ ଦିଆଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ସକାଳ ପ୍ରାୟ ୫.୧୫ ସମୟରେ ଡିପିଏସ୍ ଅଗ୍ନିଶମ ବିଭାଗକୁ ସୂଚନା ଦିଆଯାଇଥିଲା। ଏହାର କିଛି ସମୟ ପରେ ଅଗ୍ନିଶମ ବିଭାଗ ଏବଂ ଦିଲ୍ଲୀ ପୋଲିସର ଏକ ଟିମ୍ ସ୍କୁଲ କ୍ୟାମ୍ପସରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ତେବେ ଦୀର୍ଘ ସମୟର ଅନୁସନ୍ଧାନ ପରେ ମଧ୍ୟ ସନ୍ଦେହଜନକ କିଛି ମିଳିଲା ନାହିଁ। ଇମେଲ ବିଷୟରେ ସୂଚନା ପାଇବା ପରେ ଦିଲ୍ଲୀ ଅଗ୍ନିଶମ ବିଭାଗ, ଦିଲ୍ଲୀ ପୋଲିସ, ବମ୍ ସ୍କ୍ଵାଡ ଏବଂ ଡଗ ସ୍କ୍ଵାଡ ସ୍କୁଲ କ୍ୟାମ୍ପସରେ ପହଞ୍ଚିଥିଲେ। ଇମେଲ ମାଧ୍ୟମରେ ଜାଣିବାକୁ ପାଇଲେ ଯେ ଜଣେ ଅଜ୍ଞାତ ବ୍ୟକ୍ତି କ୍ୟାମ୍ପସରେ ବୋମା ଧମକ ଦେଇଛନ୍ତି, ଏହା ସଙ୍ଗେ ସଙ୍ଗେ ପିତାମାତାଙ୍କୁ ଡାକି ଅନଲାଇନ୍ କ୍ଲାସ୍ ବିଷୟରେ ସୂଚନା ଦିଆଯାଇଥିଲା। ପ୍ରକାଶ ଥାଉକି,ଗତ ୧୦ ଦିନ ମଧ୍ୟରେ ୪ର୍ଥ ଥର ପାଇଁ ଦିଲ୍ଲୀର ବିଦ୍ୟାଳୟରେ ବୋମା ଧମକ ଦେବା ଘଟଣା ସାମ୍ନାକୁ ଆସିଛି।
ହେଲେ ବର୍ତ୍ତମାନ ଯାଏଁ ପୋଲିସ ଏ ସମ୍ପର୍କରେ କୌଣସି ଠୋସ୍ ପଦକ୍ଷେପ ନେଇପାରି ନାହିଁ । ଏହାପୂର୍ବରୁ ଡିସେମ୍ବର ୧୭ ରେ ଦିଲ୍ଲୀର ଦୁଇଟି ବିଦ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା। ଦିଲ୍ଲୀର ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ୍ ଏବଂ ସରସ୍ୱତୀ ବିହାରର ଏକ ବିଦ୍ୟାଳୟକୁ ଧମକ ଦିଆଯାଇଥିଲା। ସେହିପରି ପୂର୍ବରୁ ମଧ୍ୟ ୪୦ ରୁ ଅଧିକ ବିଦ୍ୟାଳୟକୁ ଏକକାଳୀନ ବୋମା ବିସ୍ଫୋରଣ ନେଇ ଧମକ ଦିଆଯାଇଥିଲା ।

