Sun. Dec 22nd, 2024

ନ୍ୟୁଜ ଡେକ୍ସ: ଓଡ଼ିଶା ପାଇଁ ଖୁସି ଖବର । ରାଜ୍ୟରେ ଜଙ୍ଗଲର ଆୟତନ ବଢ଼ିଛି । ୨ ବର୍ଷ ମଧ୍ୟରେ ୧୫୧.୮୯ ବର୍ଗ କିମି ଜଙ୍ଗଲ ବୃଦ୍ଧି ହୋଇଛି । ରାଜ୍ୟରେ ଜଙ୍ଗଲ ଓ ଗଛ ଆଚ୍ଛାଦିତ ଅଞ୍ଚଳ ପରିମାଣ ମିଶାଇଲେ ୫୫୮.୫୭ ବର୍ଗ କିମି ବୃଦ୍ଧି ପାଇଛି। ଜାତୀୟସ୍ତରରେ ଜଙ୍ଗଲ ଅଞ୍ଚଳ ସହ ଗଛ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିରେ ରାଜ୍ୟ ତୃତୀୟ ସ୍ଥାନରେ ରହିଛି ।

ଭାରତର ଜଙ୍ଗଲ ସ୍ଥିତି ରିପୋର୍ଟ ଅନୁଯାୟୀ, ଭାରତରେ ମୋଟ ଜଙ୍ଗଲ ଏବଂ ବୃକ୍ଷଲତା ଥିବା ଜମି ପରିମାଣ ବୃଦ୍ଧି ପାଇଛି । ୨୦୨୧ ପରେ ଜଙ୍ଗଲ ଜମି ପରିମାଣ ୧,୪୪୫ ବର୍ଗ କିଲୋମିଟର ବଢ଼ିଥିବା ଏହି ସଦ୍ୟ ତଥ୍ୟରୁ ଜଣାପଡ଼ିଛି । ତେବେ ମୋଟାମୋଟି ଭାବେ କହିବାକୁ ଗଲେ ୨୦୨୩ରେ ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତକୁ ବୃଦ୍ଧି ପାଇଛି । ଓଡ଼ିଶା ଗତ ୨ ବର୍ଷ ମଧ୍ୟରେ ଜଙ୍ଗଲ ବୃଦ୍ଧିରେ ବେଶ୍ ସଫଳତା ହାସଲ କରିଛି । ସରକାରୀ ରେକର୍ଡରେ ଥିବା ଜଙ୍ଗଲ ଭିତରେ ଏହି ବୃଦ୍ଧି ପରିମାଣ ୧୧୮.୧୭ ବର୍ଗ କିମି । ମିଜୋରାମ ପରେ ଓଡ଼ିଶା ଏ ଅଞ୍ଚଳରେ ଅଧିକ ପରିମାଣର ଜଙ୍ଗଲ ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ତେବେ ରେକର୍ଡଭୁକ୍ତ ଜଙ୍ଗଲ ଭିତରେ ଓ ବାହାରେ ଜଙ୍ଗଲ ବୃଦ୍ଧିକୁ ମିଶାଇଲେ ଏହି ପରିମାଣ ୧୫୨ ବର୍ଗ କିମି ଛୁଇଁଛି । ହେନ୍ତାଳ ବଣ ସୃଷ୍ଟିରେ ଓଡ଼ିଶାକୁ ହତାଶ ହେବାକୁ ପଡ଼ିଛି । ଓଡ଼ିଶାରେ ଥିବା ଜଙ୍ଗଲ ମଧ୍ୟରୁ ୧୨,୩୨୮ ବର୍ଗ କିମିରେ ବାଉଁଶ ଗଛ ଅଛି । କୃଷିଭିତ୍ତିକ ଜଙ୍ଗଲରେ ଓଡ଼ିଶା ମହାରାଷ୍ଟ୍ର, କର୍ଣ୍ଣାଟକ ପରେ ତୃତୀୟ ସ୍ଥାନରେ ଅଛି ।

୨୦୨୧ରୁ ୨୦୨୩ ମଧ୍ୟରେ ରାଜ୍ୟର ବହୁ ଜିଲ୍ଲାରେ ଜଙ୍ଗଲ ପରିମାଣ କମିଛି । ଆଦିବାସୀବହୁଳ ଦେବଗଡ଼ରେ ୧.୭୩ ବର୍ଗ କିମି, ଗଜପତିରେ ୧୧.୬୩, କଳାହାଣ୍ଡିରେ ୬୧.୯୪, କେନ୍ଦୁଝରରେ ୩୦.୯୨, ମାଲକାନଗିରିରେ ୧୨.୩୪, ନବରଙ୍ଗପୁରରେ ୨୯.୪୬ ବର୍ଗ କିମି ଜଙ୍ଗଲ କମିଛି । ସେହିଭଳି ଅନୁଗୁଳରେ ୫.୫୬ ବର୍ଗ କିମି, ସମ୍ବଲପୁରରେ ୩୧.୨୭ ବର୍ଗ କିମି ଜଙ୍ଗଲ କମିଛି ।

Leave a Reply

Your email address will not be published. Required fields are marked *