ନ୍ୟୁଜ ଡେକ୍ସ:ବିତ୍ତୀୟ ପରିଚାଳନାରେ ଓଡ଼ିଶା ସର୍ବଶ୍ରେଷ୍ଠ ରାଜ୍ୟ । ଯେଉଁଥିପାଇଁ ରାଜ୍ୟର ବିତ୍ତୀୟ ସ୍ୱାସ୍ଥ୍ୟ ଅନ୍ୟ ସମସ୍ତ ରାଜ୍ୟଠାରୁ ଢେର ତଗଡ଼ା । ନୀତି ଆୟୋଗ ଏକଥା ସ୍ପଷ୍ଟ କରିଛି । ରାଜ୍ୟ ଗୁଡିକର ବିତ୍ତୀୟ ସ୍ୱାସ୍ଥ୍ୟ ସମ୍ପର୍କରେ ନୀତି ଆୟୋଗ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ କହୁଛି, ୧୮ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ବିତ୍ତୀୟ ସ୍ୱାସ୍ଥ୍ୟ ଏକ ନମ୍ବର । ଆର୍ଥିକ କ୍ଷେତ୍ରରେ ସର୍ବାଧିକ ୬୭.୮ ପଏଣ୍ଟ ସହିତ ଓଡ଼ିଶାର ସ୍ଥାନ ସର୍ବାଗ୍ରେ ରହିଛି।
ଋଣ ସୂଚକାଙ୍କରେ ୯୯ ପ୍ରତିଶତ ଓ ଋଣଗତ ସହନଶୀଳତା ୬୪ ପ୍ରତିଶତ ରହିଛି। ଏହାସହ ବ୍ୟୟ ଗୁଣବତ୍ତା ଓ ରାଜସ୍ବ ସମ୍ବଳ ସଂଗ୍ରହ କ୍ଷେତ୍ରରେ ବି ଓଡ଼ିଶା ଉଲ୍ଲେଖନୀୟ ଭାବେ ସଫଳତା ହାସଲ କରିଛି। ଏହି ସମୟ କାଳ ମଧ୍ୟରେ କମ୍ ରାଜସ୍ବ ନିଅଣ୍ଟ, ଋଣ ପରିଚାଳନା, ହାରାହାରି ପୁଞ୍ଜିଗତ ଆକଳନ ଓ ଜିଏସଡିପି ଅନୁପାତ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଉତ୍ତମ ପାରଦର୍ଶିତା ହାସଲ କରିଛି। ଆର୍ଥିକ ପରିଚାଳନା କିଭଳି କରାଯାଏ ତାହାର ଏକ ବଡ଼ ଉଦାହରଣ ପାଲଟିଛି ଓଡ଼ିଶା।
ବିକାଶ ମାନଚିତ୍ରରେ ଓଡ଼ିଶାଠୁ ବହୁ ଆଗରେ ଥିବା ତାମିଲନାଡ଼ୁ, କର୍ଣାଟକ ଓ ହରିଆଣା ଓଡ଼ିଶା ଠାରୁ ଢେର ପଛରେ । ରିପୋର୍ଟ ମୁତାବକ, ଓଡ଼ିଶା ଋଣ ସୂଚକାଙ୍କରେ ୯୯.୦ ଏବଂ ନିୟମିତ ଋଣ ପଇଠ ସହ ଉନ୍ନତ ଋଣ ସ୍ଥିତି କ୍ଷେତ୍ରରେ ୬୪.୦ ସହ ଶୀର୍ଷରେ ରହିଛି । ଖର୍ଚ୍ଚର ଗୁଣବତ୍ତା ଏବଂ ରାଜସ୍ୱ ତୁଳନାରେ ପୂର୍ବ ୨ଟି କ୍ଷେତ୍ରରେ ରାଜ୍ୟ ବେଶ ଉନ୍ନତ ସ୍ଥାନରେ ରହିଛି । ରାଜ୍ୟ ଏହାର ବିତ୍ତୀୟ ନିଅଣ୍ଟକୁ ନିମ୍ନରେ ରଖିବାକୁ ସକ୍ଷମ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି ।
