Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆସନ୍ତା ରଥଯାତ୍ରା ପାଇଁ ରଥକାଠର ଅନୁକୂଳ ଆଜି ପବିତ୍ର ଶ୍ରୀପଞ୍ଚମୀ ଅବସରରରେ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଥିବା ରଥଖଳାରେ ୩ ଟି ଧଉରା କାଠ ରଖାଯାଇ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମା ସରସ୍ୱତୀଙ୍କ ପୂଜାର୍ଚ୍ଚନା ପରେ ଏହି କାଠ ଗୁଡ଼ିକ ସଂସ୍କାର ଓ ପୂଜାର୍ଚ୍ଚନା ସହ ରଥକାଠ ଅନୁକୂଳ ହୋଇଥିଲା। ସେପଟେ ଆଜି ରବିବାର ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି।

ଚଳିତବର୍ଷ ରଥଯାତ୍ରା କିଭଳି ଶାନ୍ତିଶୃଙ୍ଖଳାର ସହିତ ସମାପନ ହେବ ସେନେଇ ଶ୍ରୀଜୀଉଙ୍କ ନିକଟରେ ପ୍ରାର୍ଥନା କରାଯାଇଛି। ରଥକାଠ ଅନୁକୂଳ ପର୍ବ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ,ଉପମୁଖ୍ୟ ପ୍ରଶାସକ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଶ୍ରୀମନ୍ଦିର ନୀତି ପ୍ରଶାସକ,ଏସପି,ତିନିରଥର ଭୋଇ ସର୍ଦ୍ଦାର ପ୍ରମୁଖ ଉପସ୍ଥିତ ରହିଥିଲେ। ତେବେ ଆସନ୍ତା ରାମନବମୀ ତିଥିରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ କରାଯିବା ସହ ଆସନ୍ତା ଅକ୍ଷୟ ତୃତୀୟା ଦିନ ରଥନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ତେବେ ତିନିରଥ ନିର୍ମାଣ ପାଇଁ ମୋଟ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର ୫୧ ଖଣ୍ଡ କାଠ ବଳକା ରହିଛି।

ତେବେ ଚଳିତବର୍ଷ ରଥନିର୍ମାଣ ପାଇଁ ଆଉ ୮୧୪ ଖଣ୍ଡ କାଠ ଦରକାର ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ତିନୋଟି ଟ୍ରକ୍ ଯୋଗେ ୧୦୧ ଖଣ୍ଡ କାଠ ପୁରୀରେ ପହଞ୍ଚିଛି। ରଥନିର୍ମାଣ ପାଇଁ ମୋଟ ୮୬୫ ଖଣ୍ତ କାଠ ଆବଶ୍ୟକ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଜାନୁଆରୀ ୨୮ ତାରିଖରେ ନୟାଗଡ଼ ବନଖଣ୍ତରୁ ୧୦୧ ଖଣ୍ତ ରଥକାଠ ପୁରୀ ଆସି ସାରିଛି। ପୂର୍ବ ବର୍ଷର ୫୧ ଖଣ୍ତ କାଠ ବଳକା ଥିବା ବେଳେ ଆଜି ରଥକାଠ ଅନୁକୂଳ ପରେ ବିଭିନ୍ନ ପର୍ଯ୍ୟାୟରେ ସର୍ବ ମୋଟ ୭୧୩ ଖଣ୍ତ ରଥକାଠ ଆସି ପହଞ୍ଚିବ।

Leave a Reply

Your email address will not be published. Required fields are marked *