ନ୍ୟୁଜ ଡେସ୍କ: ୬ ସପ୍ତାହ ପରେ ଆଜି ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ଅହେତୁକ ଭିଡ଼କୁ ଦୃଷ୍ଟିରେ ରଖି କେବଳ ଅନଲାଇନରେ ପଞ୍ଜିକରଣ କରିଥିବା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରିବେ। ମୋଟ ହଜାରେ ଜଣ ଅନଲାଇନରେ ପଞ୍ଜିକରଣ କରିଛନ୍ତି।
ସର୍ବାଧିକ ୧୦୦୦ଟି ଅଭିଯୋଗର ହେବ ଶୁଣାଣି। ଏଥିପାଇଁ ସକାଳୁ ସକାଳୁ ଅଭିଯୋଗକାରୀଙ୍କ ଭିଡ଼ ଜମିଲାଣି। ଏଥର ଅଭିଯୋଗ ଶୁଣାଣି ପୂର୍ବରୁ ଶୁଣାଣି ଚାଲୁଥିବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ନିକଟସ୍ଥ ସରକାରୀ ବାସଗୃହ ଭିଆଇଆଇଆଇଏମ୍ଆର୍ ନମ୍ବର-୪ରେ ହେବ। ଏଠାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପ୍ରସ୍ତୁତ କରାଯାଇଥିବାବେଳେ ଅଭିଯୋଗ ଜଣାଇବା ପାଇଁ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କୁ ରାଜୀବ ଭବନରୁ ଅଳ୍ପ ଦୂରରେ ଥିବା ଜଳ ଭବନ (ୱାଟ୍କୋ କାର୍ଯ୍ୟାଳୟ) ପାଶ୍ୱର୍ରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଉଦ୍ଦିଷ୍ଟ ଗେଟ୍ ନଂ-୧ରେ ଆସିବାକୁ ପଡ଼ିବ।
ସୂଚନା ଅନୁସରେ, ଦୀର୍ଘ ୧୬ ବର୍ଷ ପରେ ଜୁଲାଇ ୨ ତାରିଖରେ ଖୋଲିଥିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ପ୍ରକୋଷ୍ଠରେ ବସି ଲୋକଙ୍କ ଅଭିଯୋଗ ଶୁଣିଥିଲେ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ଟିମ୍ ୧୫୫୦ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପ୍ରତିଶ୍ରୁତି ପାଇବା ପରେ ଉତ୍ସାହିତ ହୋଇଥିଲେ ଅଭିଯୋଗକାରୀ।