Sat. Feb 21st, 2026

ନ୍ୟୁଜ ଡେକ୍ସ: ଏପରି ପେଣ୍ଟିଂ, ଦେଖିଲେ ଲାଗେ ଆକର୍ଷଣରୁ କେହି କେବେ ନିଜକୁ ରୋକି ପାରେନା। ଆପେ ଟାଣି ହୋଇ ଚାଲିଯାଏ ତା’ ପାଖକୁ। କହିବାକୁଗଲେ ସେ ପେଣ୍ଟିଂ ନିଜ ଆକର୍ଷଣର ମାୟାଜାଲରେ ସମସ୍ତଙ୍କୁ ଟାଣିଆଣେ ନିଜ ପାଖକୁ। ଆଉ ଥରେ ଆସିଗଲେ ସେ ଦିଏ ମୃତ୍ୟୁର ଉପହାର। ଆଉ ନେଇ ଚାଲେ ଗୋଟିକ ପରେ ଗୋଟିଏ ଜୀବନ। ସେପରି ଏକ ପେଣ୍ଟିଂ ହେଉଛି, ଦ କ୍ରାଇଂ ବୟ ପେଣ୍ଟିଂ, ଯେଉଁଠି ରହିଛି ସେ ଘର ଜଳିଛି: ନିରୀହ ଚେହେରା, ଲୁହଭରା ଆଖି। ଦେଖିଲେ ଲାଗେ ସତେ ଯେମିତି କଅଁଳ ବୟସରେ ଦୁଃଖର ପାହାଡ଼ ଅଜାଡ଼ି ହୋଇପଡିଛି।

ଆଉ ତା’ ଆଖିରୁ ଝରିଯାଉଛି ଲୁହର ନଦୀ। ବହୁ ଚର୍ଚ୍ଚିତ ‘ଦ କ୍ରାଇଂ ବୟ ପେଣ୍ଟିଂ’ର ବାଳକକୁ ଦେଖିଲେ ମନକୁ ଏଇ କଥା ଆସେ। ଆଉ ଯେ କେହି ତା’ ମୋହରେ ପଡ଼ିଯାଏ। ହେଲେ ଏଇ ଆକର୍ଷକ ପେଣ୍ଟିଂ ସହ ଜଡିତ ହୋଇ ରହିଛି ଅନେକ ରକ୍ତଭିଜା କାହାଣୀ। ବିଶ୍ୱାସ କରାଯାଏ ଏହି ପେଣ୍ଟିଂ ଅଭିଶପ୍ତ। କାରଣ ଏହା ଯାହା ପାଖକୁ ଯାଇଛି ସେ ଘର ଜଳିପୋଡି ଛାରଖାର ହୋଇଯାଇଛି। ହେଲେ ଆଶ୍ଚର୍ଯ୍ୟଜନକଭାବେ ଭୟାବହ ଅଗ୍ନିକାଣ୍ଡ ଭିତରେ ବି ସେହି ପେଣ୍ଟିଂରେ ଦାଗଟିଏ ମଧ୍ୟ ଲାଗି ନ ଥାଏ। କ୍ରାଇଂ ବୟ ପେଣ୍ଟିଂ ହେଉଛି ଇଟାଲୀୟ ପେଣ୍ଟର୍‌ ଜିଓଭାନି ବ୍ରାଗୋଲିନଙ୍କର ମାସ୍‌ ପ୍ରଡ୍ୟୁସ୍‌ଡ ପ୍ରିଣ୍ଟ। ସେ ଏକାଭଳି ଅନେକ ପେଣ୍ଟିଂ କରିଥିଲେ। ୧୯୮୫, ସେପ୍ଟେମ୍ବର ୫ରେ ବ୍ରିଟିଶ ଟାବଲଏଡ ଖବରକାଗଜ ‘ଦି ସନ୍‌’ ମୁତାବକ ଦକ୍ଷିଣପୂର୍ବ ଇଂଲଣ୍ଡସ୍ଥ ଏସେକ୍ସର ଜଣେ ଫାୟାର ଫାଇଟର୍‌ ଦାବି କରିଥିଲେ ଯେ, ଜଳି ଯାଇଥିବା କିଛି ଘରେ ସେ କ୍ରନ୍ଦନରତ ବାଳକଙ୍କର ଫଟୋକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଯେଉଁଠି ଘର ଜଳିପୋଡ଼ି ଛାର୍‌ଖାର ହୋଇଯାଇଥାଏ ସେଠି ପେଣ୍ଟିଂ ଅକ୍ଷତ ଅବସ୍ଥାରେ ରହିବାଟା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ତା’ସହ ଏକାଭଳି କ୍ରନ୍ଦନରତ ବାଳକଙ୍କ ଫଟୋ ଭିନ୍ନ ଭିନ୍ନ ଅଗ୍ନିକାଣ୍ଡରେ ଦେଖି ତାଙ୍କ ଆଶ୍ଚର୍ଯ୍ୟ ଦ୍ୱିଗୁଣିତ ହୋଇଯାଇଥିଲା।

ଏହି ଘଟଣା ପରେ ହିଁ ଉକ୍ତ ପେଣ୍ଟିଂ ଅଭିଶପ୍ତ ବୋଲି ପ୍ରଚାର ହୋଇଯାଇଥିଲା। ଏହାକୁ ନେଇ ଅନେକ କାହାଣୀ ଯୋଡ଼ି ହୋଇଯାଇଥିଲା। କେହି କେହି କହିଥିଲେ ପେଣ୍ଟିଂ ହେଉଛି ଅନାଥ ବାଳକର, ଯାହା ଘର ପୋଡ଼ି ଯାଇଥିଲା। ତେବେ ଏହି ଅଭିଶାପ କାହାଣୀ ପଛର ସତ୍ୟତା ଜାଣିବାକୁ ବ୍ରିଟିଶ ଲେଖକ ତଥା ହାସ୍ୟ କଳାକାର ଷ୍ଟିଭ ପୁଣ୍ଟ ଚେଷ୍ଟା କରିଥିଲେ। ଅନେକ ଗବେଷଣା କରିଥିଲେ। ଆଉ ବିବିସି ରେଡିଓ ୪ରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ, ପେଣ୍ଟିଂଗୁଡିକରେ ନିଆଁ ନ ଧରିବା ଲାଗି ଏକପ୍ରକାରର ଭାର୍ନିଷ ଲଗାଯାଇଥିଲା।

ହେଲେ ପେଣ୍ଟିଂ ଝୁଲିବା ପାଇଁ ଲାଗିଥିବା ଦଉଡ଼ିରେ ତାହା ବ୍ୟବହାର ହୋଇ ନ ଥିଲା। ତେଣୁ ନିଆଁ ସେଥିରେ ଲାଗି ପୋଡ଼ିଯିବା ଫଳରେ ପେଣ୍ଟିଂ ଓଲଟି ପଡ଼ିଥିଲା। ଫଳରେ ତାହା ପୋଡି ନ ଥିଲା। ତେବେ ଭୟାବହ ଅଗ୍ନିକାଣ୍ଡରେ ଏହା କେତେ ସମ୍ଭବ ଓ ଅନ୍ୟ ପେଣ୍ଟିଂ କ୍ଷେତ୍ରରେ ତାହା କାହିଁକି ଘଟିଲାନି ଅନେକଙ୍କ ମନରେ ଏବେବି ପ୍ରଶ୍ନ ଉଠେ।

Leave a Reply

Your email address will not be published. Required fields are marked *