ନ୍ୟୁଜ ଡେକ୍ସ: ଆଗକୁ ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେବ । ପଶ୍ଚିମ ଓଡ଼ିଶା ତତଲା ଲୌହପିଣ୍ଡ ପାଲଟିବ । କିଛି ସ୍ଥାନରେ ତାପମାତ୍ରା ୪୫ ଡିଗ୍ରୀ ଛୁଇଁବ । ସୋମବାର ସମ୍ବଲପୁର ଓ ଟିଟିଲାଗଡ଼ରେ ତାତି ୪୪ ଡିଗ୍ରୀ ଛୁଇଁଯିବ । ମଙ୍ଗଳବାର ଏହି ଦୁଇ ସ୍ଥାନରେ ତାତି ୪୫ ଡିଗ୍ରୀ ରହିପାରେ ।
ଉତ୍ତର ଓ ଉପକୂଳ ଓଡ଼ିଶାରେ ବି ଛଟପଟ କରିବ ତାତି ଓ ଗୁଳୁଗୁଳି । ସକାଳ ସାଢେ ୮ଟାରେ ୩୫ ଡିଗ୍ରି ଛୁଇଁଲା ପାରଦ । ଝାରସୁଗୁଡା ୩୫ ଡିଗ୍ରି ରେକର୍ଡ କରାଯାଇଥିବାବେଳେ ସମ୍ବଲପୁର ୩୪.୪ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ହୀରାକୁଦ ୩୪.୪, ରାଉରକେଲା ୩୩.୬ ଡିଗ୍ରି, ଚାନ୍ଦବାଲି ଓ ପୁରୀ ତାପମାତ୍ରା ୩୨.୬ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବର ୩୨.୪ ଡିଗ୍ରି ରେକର୍ଡ କରାଯାଇଛି । ଉପକୂଳରେ ଆର୍ଦ୍ରତା ଅଧିକ ଯୋଗୁଁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ଉପକୂଳରୁ ଉତ୍ତର, ପଶ୍ଚିମରୁ ଦକ୍ଷିଣ ସବୁଠି ଯେମିତି ଆକାଶରୁ ଖସୁଛି ନିଆଁ ।
ବିଶେଷ କରି ପଶ୍ଚିମ ଓଡ଼ିଶାରେ ଅସମ୍ଭାଳ ଖରା ଯୋଗୁଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି । ରାଜ୍ୟରେ ଏଭଳି ଅସହ୍ୟ ଖରା ଆହୁରି ୪ ଦିନ ଲାଗିରହିବ । ୧୫ ତାରିଖ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି । ଗତକାଲି ୧୯ଟି ସହରରେ ତାପମାତ୍ରା ୪୦ ଡିଗ୍ରି ପାର୍ କରିଥିଲା ।
