ନ୍ୟୁଜ ଡେକ୍ସ: ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ସ୍ଵାଭାବିକ ସମୟ ପୂର୍ବରୁ ଓଡ଼ିଶା ଛୁଇଁଲା ମୌସୁମୀ। ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ମୌସୁମୀ ଛୁଇଁଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ବରିଷ୍ଠ ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।
“ଆଜି ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳକୁ ମୌସୁମୀ ଛୁଇଁଛି,” ସେ ଲେଖିଛନ୍ତି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ ଏହା ସମଗ୍ର ମାଲକାନଗିରି ସହ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଏବଂ ଗଜପତି ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିଛି। ତେବେ ୨୦୨୪ ମସିହାରେ ମୌସୁମୀ ତାର ନିର୍ଦ୍ଧାରିତ ସମୟର ଚାରି ଦିନ ପୂର୍ବରୁ ଓଡ଼ିଶାରେ ପହଞ୍ଚିଥିଲା। ଏହାବ୍ୟତୀତ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ପ୍ରଭାବିତ କରିଥିଲା।
ସେପଟେ ଲଘୁଚାପ ପ୍ରଭାବରେ ଆସନ୍ତା ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ଜଗତ୍ସିଂହପୁର, ପୁରୀ, କଟକ, କୋରାପୁଟ ଓ ରାୟଗଡ଼ାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ୫ଟି ସ୍ଥାନକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ବର୍ଷା ସହିତ ୫୦ରୁ ୬୦ କିମି ବେଗରେ ପବନ ବହିପାରେ ।
