Thu. Oct 23rd, 2025

ନ୍ୟୁଜ ଡେକ୍ସ: ୧୦୮ ଗରା ସୁବାସିତ ଜଳରେ ଦିବ୍ୟସ୍ନାନ ପରେ ଜ୍ବରରେ କମ୍ପୁଛନ୍ତି ଶ୍ରୀଜିଉ । ୧୪ ଦିନ ଧରି ଚାଲିବ ଅଣସର ନୀତି । ଦଇତାପତିମାନେ ଜ୍ଵରାକ୍ରାନ୍ତ ମହାପ୍ରଭୁଙ୍କୁ ଗୁପ୍ତ ଉପଚାର ଓ ଗୁପ୍ତ ସେବା କରୁଛନ୍ତି । ଅଣସର ସମୟରେ ଶ୍ରୀଜିଉମାନେ ଶ୍ବେତବସ୍ତ୍ର ପରିଧାନ କରିବାର ବିଧି ରହିଥିବାବେଳେ ତୁଳସୀ ମଧ୍ୟ ଲାଗି କରାଯାଇନଥାଏ । ମହାପ୍ରଭୁଙ୍କୁ କେବଳ ଧଳା ଫୁଲ ଲାଗି କରାଯାଇଥାଏ ।

ଏଣେ ଶ୍ରୀମନ୍ଦିର ରତ୍ନସିଂହାସନରେ କଳାସାଆନ୍ତେଙ୍କ ଦର୍ଶନ ନପାଇ ପୁରୀ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ସକାଳୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି ନୀତି ହୋଇଛି । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ଭୋର ୪ଟାରେ ଦ୍ବାର ଫିଟିଥିଲା, ୪.୧୫ରେ ମଙ୍ଗଳ ଆଳତୀ, ଅବକାଶ ନିତି ଶେଷ ହୋଇଥିଲା ।

ଏହାପରେ ଅଣସର ବେଶ ହୋଇଥିଲେ ପ୍ରଭୁ ଅଲାରନାଥ । ସୁରକ୍ଷା ପାଇଁ ୮ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦର୍ଶନ କରିବାରେ ଯେତିକି ପୂଣ୍ୟ ମିଳେ ଅଣସର ସମୟରେ ଶ୍ରୀଅଲାରନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟ ମିଳେ ବୋଲି ପ୍ରବାଦ ରହିଛି । ଏଥିପାଇଁ ଅଣସର ସମୟରେ ଅଲାରନାଥ ମନ୍ଦିରରେ ଭକ୍ତମାନଙ୍କ ପ୍ରବଳ ଭିଡ ଲାଗି ରହିଥାଏ ।

Leave a Reply

Your email address will not be published. Required fields are marked *