ନ୍ୟୁଜ ଡେକ୍ସ: ବୁଧବାର ବିଳମ୍ବିତ ରାତିରେ ତାରିଣୀ ବସ୍ତ୍ରାଳୟ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଗୋଦାମର ପ୍ରାୟ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଜଳିଯାଇଛି । ନିଆଁ ଲିଭାଇବାକୁ ଯାଇ ବସ୍ତ୍ରାଳୟର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ୨ ଘଣ୍ଟା ଅକ୍ଳାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି ।
କଳ୍ପନା ଛକ ନିକଟରେ ଥିବା ତାରିଣୀ ବସ୍ତ୍ରାଳୟର ପଛ ପଟ ଗଳିରେ ଏକ ୫ ମହଲା ବିଶିଷ୍ଟ ଗୋଦାମ ଘର ଅଛି । ଗତକାଲି ରାତିରେ ଗୋଦାମ ଘରେ ଧୂଆଁ ସହ ନିଆଁ ଦେଖାଯିବାରୁ ସ୍ଥାନୀୟ ଲୋକ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ନିଆଁ ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପି ଯାଇଥିଲା । ତେବେ ଦ୍ୱିତୀୟ ମହଲାରେ ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲାବେଳେ ଡ୍ରେସ ରଖାଯାଇଥିବା ଏକ ର୍ୟାକ ଜଣେ କର୍ମଚାରୀଙ୍କ ଉପରେ ପଡ଼ିଯାଇଥିଲା ।
ସେ ର୍ୟାକ୍ ତଳେ ଚାପି ହୋଇଯାଇଥିଲେ । ଏପଟେ ଖବରପାଇ ଅଗ୍ନିଶମ କେନ୍ଦ୍ରରୁ ଦମକଳ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ । ଅଗ୍ନିଶମ କର୍ମଚାରୀ ଭିତରକୁ ପଶି ପ୍ରଥମେ ଫସି ରହିଥିବା କର୍ମଚାରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଦେଇଥିଲେ ।

