Thu. Oct 23rd, 2025

ନ୍ୟୁଜ ଡେକ୍ସ: ଯୁକ୍ତରାଷ୍ଟ୍ର ଆମେରିକାର ବିର୍ମିଂହାମରେ ବିଶ୍ବ କ୍ରିଡ଼ା ଅନୁଷ୍ଠିତ । ‘ବିଶ୍ୱ ପୁଲିସ ଏବଂ ଅଗ୍ନିଶମ କ୍ରୀଡା ୨୦୨୫’ରେ ଓଡ଼ିଶା ପୁଲିସର କ୍ରୀଡାବିତମାନେ ନିରନ୍ତର ଭାବେ ସଫଳତା ହାସଲ କରି ଚାଲିଛନ୍ତି। ଗୁରୁବାର ୪ଜଣ ଯୁବ କ୍ରୀଡାବିତ୍ ସ୍ୱର୍ଣ୍ଣ ପଦକ ଜିତି ଓଡ଼ିଶା ପୁଲିସକୁ ଗୌରବାନ୍ଵିତ କରିଛନ୍ତି।

କନଷ୍ଟେବଳ ଅଶୋକ ଦଣ୍ଡସେନା ୧୫୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୧୫୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ସ୍ୱର୍ଣ୍ଣ ପଦକ ହାସଲ କରି ଏକ ନୂତନ ମାଇଲ ଖୁଣ୍ଟ ସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ ଯେ, ପୂର୍ବରୁ କନଷ୍ଟେବଳ ଅଶୋକ ଦଣ୍ଡସେନା ୮୦୦ ମିଟର (ପୁରୁଷ ବର୍ଗ) ଦୌଡ଼ରେ ସ୍ଵର୍ଣ୍ଣ ପଦକ ଏବଂ କନଷ୍ଟେବଳ ସୁସ୍ମିତା ଟିଗା ୮୦୦ ମିଟର (ମହିଳା ବର୍ଗ) ଦୌଡ଼ରେ ରୌପ୍ୟ ପଦକ ହାସଲ କରିଥିଲେ। ସେହିପରି କନଷ୍ଟେବଳ ଭଗବାନ ରେଡ୍ଡୀ, କରାଟେ (୬୪ କି.ଗ୍ରାରୁ କମ୍) ବର୍ଗରେ ଏବଂ କନଷ୍ଟେବଳ ସୁମନ ଶେଖର ଦାସ କରାଟେ (୮୪ କି.ଗ୍ରାରୁ କମ୍) ବର୍ଗରେ ସ୍ଵର୍ଣ୍ଣ ପଦକ ବିଜୟୀ ହୋଇଛନ୍ତି । ଏହି କୃତି କ୍ରୀଡାବିତମାନଙ୍କ ବିରଳ ସଫଳତାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଏହି କୃତି କ୍ରୀଡାବିତମାନେ ଅସାଧାରଣ କ୍ରୀଡା କୌଶଳ ପ୍ରଦର୍ଶନ କରିବା ସହ ଓଡ଼ିଶା ପୁଲିସର ସୁନାମ ବଢ଼ାଇଛନ୍ତି। ଏହି କୃତି କ୍ରୀଡାବିତମାନଙ୍କ ବିଜୟ ଓଡ଼ିଶା ପୁଲିସର କ୍ରୀଡା ଉତ୍କର୍ଷତା, ଦୃଢ଼ତା ଏବଂ ଶୃଙ୍ଖଳାର ପ୍ରମାଣ। ସେମାନଙ୍କ ପଦକ ବିଜୟ ଓଡିଶା ପୁଲିସ ବାହିନୀକୁ ଗୌରବାନ୍ୱିତ କରିବା ସହ କର୍ତ୍ତବ୍ୟ ଏବଂ କ୍ରୀଡ଼ା ଉଭୟରେ ଉତ୍କର୍ଷତା ହାସଲ କରିବାକୁ ଅନ୍ୟ କ୍ରୀଡ଼ାବିତ ଓ ଅଧିକାରୀମାନଙ୍କୁ ପ୍ରେରଣା ଯୋଗାଉଛି।

Leave a Reply

Your email address will not be published. Required fields are marked *