ନ୍ୟୁଜ ଡେସ୍କ: ପ୍ରତ୍ୟାହୃତ ହେଲା ନର୍ସ କର୍ମଚାରୀଙ୍କ ଆନ୍ଦୋଳନ । ଲୋକସେବା ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ସିଂ ସଂଘର ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନର୍ସିଂ ସଂଘ ଘୋଷଣା କରିଛି । ଶନିବାର ରାତିରୁ ଆନ୍ଦୋଳନ ପ୍ରତ୍ୟାହୃତ ହେବା ନେଇ ସଂଘ ପକ୍ଷରୁ ସୂଚନା ଦିଆଯିବା ସହ ରବିବାରଠାରୁ ରୋଗୀ ସେବା ସ୍ବାଭାବିକ ହେବ ବୋଲି କୁହାଯାଇଛି ।
ସରକାରଙ୍କ ଜିଦ୍ ଯୋଗୁଁ ସାରା ରାଜ୍ୟରେ ୪ ଦିନ ହେଲା ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହୋଇଛନ୍ତି ରୋଗୀ। ଗତ ୪ ଦିନ ହେବ ରାଜ୍ୟବ୍ୟାପୀ ନର୍ସିଂ ଷ୍ଟାଫ୍ ମାନେ ଆନ୍ଦୋଳନ କରୁଥିଲେ। ୧୦ ଦଫା ଦାବି ପୂରଣ ପାଇଁ ଜିଦରେ ଅଡ଼ି ବସିଥିଲେ ନର୍ସ । ଏପରିକି ସିରିଞ୍ଜ ଛାଡ ଆନ୍ଦୋଳନ କରିବାରୁ ରାଜ୍ୟବ୍ୟାପୀ ରୋଗୀଙ୍କ ଚିକିତ୍ସା ବାଧାପ୍ରାପ୍ତ ହୋଇଥିଲା। କ୍ୟାବିନେଟ ବୈଠକ ପରେ ଲୋକସେବା ଭବନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହ ଆଲୋଚନା କରିଥିଲେ ନର୍ସିଂ ଅଧକାରୀ। ଏହାପରେ ରାତିରେ ଆନ୍ଦୋଳନ ପ୍ରତ୍ୟାହୃତ ହେଲା ବୋଲି ନିର୍ସିଂ ଅଧିକାରୀ ଘୋଷଣା କରିଥିଲେ । କେଉଁଠି ଅସ୍ତ୍ରୋପଚାର ହୋଇ ନ ପାରି ଗୁରୁତର ରୋଗୀର ଅବସ୍ଥା ସଙ୍କଟାପନ୍ନ ହୋଇଛି ତ କେଉଁଠି ସାଧାରଣ ଇଞ୍ଜେକ୍ସନଟିଏ ନେବାକୁ ଆସିଥିବା ରୋଗୀକୁ ନିରାଶ ହୋଇ ଫେରିବାକୁ ପଡ଼ିଛି।
ଏପରିକି ବହୁ ସରକାରୀ ହସ୍ପିଟାଲ୍ରେ ରୋଗୀଙ୍କୁ ଆଡମିସନ୍ କରାଯାଇନଥିବା ବେଳେ ଚିକିତ୍ସିତ ହେଉଥିବା ଅନେକଙ୍କୁ ଡିସ୍ଚାର୍ଜ କରାଯାଇଥିବା ଦେଖାଯାଇଛି। ଅନ୍ୟପକ୍ଷରେ ସରକାର ନିଦାବିଷ୍ଣୁ ପରି ଚାରିଦିନ ବସିବା ପରେ ଶେଷରେ ଶନିବାର ସନ୍ଧ୍ୟାରେ ନଇଁଛନ୍ତି । ଓଡ଼ିଶା ନର୍ସିଂ କର୍ମଚାରୀ ସଂଘର ଦାବିକୁ ଯଥାର୍ଥ ବୋଲି ଉଲ୍ଲେଖ କରି ଏହାକୁ ପୂରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି।